ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ) : ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଛତ୍ରପୁର ପୋଡ଼ାପଦରର ଜିତେନ୍ଦ୍ର ସେଠୀ(୩୪)। ଜଜ୍ ତାଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧୦ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ସେହିପରି ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋର୍ଟ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୦ ଡିସେମ୍ବର ୨ ତାରିଖରେ ଟିୟୁଶନରୁ ଫେରୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ଏ ନେଇ ପରିବାର ଲୋକେ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୩୩୪/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଯୁବକ ଜଣଙ୍କ ବିବାହିତ ହୋଇଥିବା ବେଳେ ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ କରିଥିଲେ। ପୋଲିସ ସେହି ଫୋନ ନଂ. ଟ୍ରାକ କରି ୧୦ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।