ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ ପ୍ରଭାବ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ଖୋଲା ଥିବାବେଳେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ରହିଛି। ସମସ୍ତ ପ୍ରାଥମିକ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲାଯିବା, ମଣ୍ଡିରେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବା, ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାଁରେ ଯାନବାହନ ଚଳାଉଥିବା ସାଧାରଣ ଲୋକଙ୍କଠାରୁ ଜରିମାନା ଆଦାୟ ବନ୍ଦ କରାଯିବା, ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନାଁରେ ବିଦ୍ୟୁତ ଗ୍ରାହକଙ୍କଠାରୁ ଜୁଲୁମ ବନ୍ଦ କରାଯିବା ପ୍ରଭୃତି ଅନ୍ୟାନ୍ୟ ଦାବିରେ ରାଜ୍ୟ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦ ପାଳନକୁ ରାଜ୍ୟ କଂଗ୍ରେସ କମିଟି ସମର୍ଥନ କରିଥିଲେ ମଧ୍ୟ ସ୍ଥାନୀୟ କଂଗ୍ରେସ ସଙ୍ଗଠନ ବନ୍ଦ ପାଳନରେ ସାମିଲ ନ ଥିଲେ। ଦିଗପହଣ୍ଡି ଅଞ୍ଚଳରେ ନବ ନିର୍ମାଣ କୃଷକ ସଙ୍ଗଠନର କୌଣସି ଶାଖା କିମ୍ବା ସଭ୍ୟ ନ ଥିବା କାରଣରୁ ବନ୍ଦ ପାଳନ କରାଯାଇ ନ ଥିବା ଜଣାପଡ଼ିଛି। ଭୋରରେ ବ୍ରହ୍ମପୁରଠାରୁ ଭାୟା ଦିଗପହଣ୍ଡି ଦେଇ ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲାକୁ ଗାଡ଼ି ଚଳାଚଳ ସ୍ବାଭାବିକ ଥିବାବେଳେ ସମସ୍ତ ସ୍କୁଲ କଲେଜ, ଅଫିସ ଦପ୍ତର, ଦୋକାନ ବଜାର ପ୍ରତିଦିନ ଭଳି ଖୋଲା ରହିଥିଲା।

Dharitri –Odisha’s No.1 Trusted Odia Daily