ନମସ୍କାରର ମାହାତ୍ମ୍ୟ

ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। କୌଣସି ବୟସ୍କ, ପିତା-ମାତା, ସନ୍ଥ-ମହାପୁରୁଷଙ୍କ ଆଗରେ ହାତ ଯୋଡି ନତ ମସ୍ତକ ହେଲେ ଅହଂକାର ଦ୍ରବୀଭୁତ ହୋଇ ଥାଏ। ଆଡମ୍ବର ନଷ୍ଟ ହୋଇଯାଏ। ମନ ସରଳ ଓ ସାତ୍ତ୍ୱିକ ହୁଏ। ଆଉ ଏହି ନମସ୍କାରର ପ୍ରତି ବଦଳରେ ମିଳୁଥିବା ଆର୍ଶୀବାଦ ଦ୍ୱାରା ଜୀବନ ଧନ୍ୟ ହୋଇଗଲା ଭଳି ମନେ ହୋଇଥାଏ। ତା’ଛଡ଼ା ନମସ୍କାର ଦ୍ୱାରା ଯୋଗମୁଦ୍ରା ମଧ୍ୟ କରାଯାଇଥାଏ। ବିଶେଷକରି ସୂର୍ଯ୍ୟ ନମସ୍କାର ଏକ ଉତ୍ତମ ଯୋଗ ଅଟେ। ନିୟମିତ ଏହାକୁ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ। ଏହା ଏକ ପ୍ରକାରର ପ୍ରଭାବୀ ଯୋଗାସନ ଅଟେ; ଯାହା ହୃଦୟ ଜନିତ ସମସ୍ୟାରୁ ସୁରକ୍ଷା ପ୍ରଦାନ କରିବା ସହ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିଥାଏ। ତା’ଛଡ଼ା ଏହି ଆସନ ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହେବା ସହ ପାଚନ କ୍ରିୟା ବି ତ୍ୱରାନ୍ବିତ ହୋଇଥାଏ।