ରାୟଗଡ଼ା,୮ା୮(ଆଶିଷ ରଞ୍ଜନ ପଣ୍ଡା): ଗୁରୁବାର ବିଳମ୍ବିତ ରାତିରେ ରେଳ ଟ୍ରାକ୍ ଉପରେ ପଥର ପଡିଯିବାରୁ ବିଶାଖାପାଟଣାରୁ କୋର୍ବା ଯାଉଥିବା ଟ୍ରେନ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା। ବିଭାଗୀୟ ଅଧିକାରୀ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପଥର ବାହାର କରିବା ପରେ ଉକ୍ତ ରାସ୍ତାରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରସ୍ଥିତ ମଝିଘରିଆଣୀ ମନ୍ଦିର ନିକଟରେ ରହିଥିବା ରେଳ ପୋଲ ଅପର ପାର୍ଶ୍ୱରେ ରେଳ ଧାରଣାରେ। ନିକଟସ୍ଥ ପାହାଡ଼ରୁ ଏକ ବିରାଟ ପଥର ଖସି ରେଳ ଟ୍ରାକ୍ ଉପରେ ପଡ଼ିରହିଥିଲା। ଉକ୍ତ ସମୟରେ ବିଶାଖାପାଟଣାଠାରୁ କୋରବା ଯାଉଥିବା ଏକ୍ସପ୍ରେସ୍ ଟ୍ରେନ ରାୟଗଡ଼ା ପହଞ୍ଚିବା ବେଳେ ପଥର ପଡ଼ିଥିବା କାରଣରୁ ଟ୍ରେନ୍ ରାୟଗଡ଼ା ରେଳ ଷ୍ଟେଶନ ମଧ୍ୟରେ ପ୍ରବେଶ କରି ନ ପାରି ସେଠାରେ ଅଟକି ରହିଥିଲା।
ସୂଚନା ପାଇ ରାୟଗଡ଼ା ରେଳ ଡିଭିଜନ ଡିଆରଏମ୍ ଅମିତାଭ ସିଙ୍ଘଲ ଓ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ପଥରକୁ ଟ୍ରାକ୍ରୁ ବାହାର କରିଥିଲେ। ତେବେ ଏଥିରେ କୌଣସି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ନ ଥିବାବେଳେ କୌଣସି ଧନଜୀବନ କ୍ଷତିଗ୍ରସ୍ତ ହୋଇନାହିଁ।