ମୋରଡ଼ା,୨।୧୧(ସ୍ମାରକ ମାଜୀ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରୁ ଶନିବାର ଚୋରି ହୋଇଥିବା ଏକ ଟ୍ରକ୍କୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ଠାବ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ଜଣ ହେଲେ ବାରିପଦା ଟାଉନ ଥାନା ଅଞ୍ଚଳର ଭିକି ପଲେଇ, ହରପ୍ରସାଦ ଦାସ ଏବଂ ବାଙ୍ଗିରିପୋଷି ଥାନା ଅଞ୍ଚଳର ଶ୍ୟାମସୁନ୍ଦର ସେଠୀ। ଟ୍ରକ୍ଟିକୁ ଏସ୍କର୍ଟ ଦେଇ ଆଣୁଥିବା ଅନ୍ୟ ୩ ବ୍ୟକ୍ତି ବାଇକ୍ରେ ଖସି ପଳାଇଛନ୍ତି। ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅଧୀନ ରାଜଘାଟ ଗ୍ରାମର ବୁଲବୁଲ ନାମକ ବ୍ୟକ୍ତିଙ୍କ ଏକ ଟ୍ରକ୍(ଓଡି୦୧ଏସ୍-୨୩୨୭) ସ୍ଥାନୀୟ ଏକ ପଟ୍ରୋଲ ପମ୍ପ ନିକଟରେ ଥିବାବେଳେ ଚୋରି ହୋଇଯାଇଥିଲା। ଏନେଇ ସେ ଜଳେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା (ନଂ.୫୧୧/୨୫) ରୁଜୁ ହୋଇଥିଲା। ତେବେ ଟ୍ରକ୍ରେ ଲୋକେଶନ ଟ୍ରାକିଂ ଡିଭାଇସ୍ ଲଗାଯାଇଥିବାରୁ ଗାଡ଼ିଟି ରାସଗୋବିନ୍ଦପୁର ଥାନା ଅଞ୍ଚଳକୁ ଯାଉଥିବା ଜଣାପଡ଼ିଥିଲା। ଜଳେଶ୍ୱର ଥାନାରୁ ଏ ବାବଦରେ ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କୁ ଜଣାଇବା ପରେ ରାସଗୋବିନ୍ଦପୁର ପୋଲିସ ସ୍ଥାନୀୟ ବଜାର ନିକଟରେ ଟ୍ରକ୍କୁ କାବୁ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା।

