ଦେବଗଡ,୧୩|୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ପୋଲିସ ବହୁ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରିବାସହ ବସାଲଇ ଗ୍ରାମର ଦୁଷ୍ମନ୍ତ ପ୍ରଧାନ (୨୨) ଓ ବଣିଆକିଲିଣ୍ଡା ଗ୍ରାମର ରଞ୍ଜିତ ପାତ୍ର(୩୯)କୁ ଗିରଫ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଉତମରା ସ୍ଥିତ ଜିଏସ୍ଟି ଅଫିସ ପାଖରେ ନିର୍ମାଣାଧିନ ସେରିକଲଚର ଅଫିସ ଗୃହର କାମ ଚାଲିଥିବା ବେଳେ ଦେବଗଡ ପୌରାଂଚଳ ୨ ନମ୍ବର ୱାର୍ଡର ଚନ୍ଦ୍ରଶେଖର ମହାପାତ୍ର ଠିକାଦାର ଭାବେ ଏହାର ନିର୍ମାଣ କାର୍ଯ୍ୟ କରୁଥିଲେ । ସେଠାରେ କଟର୍ ମ୍ୟାସିନ, ପାଣି ଟେପ ଓ ବିଦ୍ୟୁତ ତାର ସମେତ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ଥିବାବେଳେ ଗତ ଜାନୁୟାରୀ ୨୯ ତାରିଖ ରାତ୍ରୀରେ ଏହା ଚୋରି ହୋଇଯାଇଥିଲା ।
ଏପରିକି ଦୁର୍ବୃତ୍ତମାନେ କାମ ସରିଥିବା ପାଣି ପାଇପ ଏବଂ ଇଲେକ୍ଟ୍ରି ୱାଇରିଙ୍ଗ ଭାଙ୍ଗିରୁଜି ଦେବା ସହିତ ରଙ୍ଗ ବାଲଟି ତଳେ ଢାଳି ଦେଇଥିଲେ । ଏନେଇ ଠିକାଦାର ଚନ୍ଦ୍ରଶେଖର ଦେବଗଡ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୋଲିସ ଏ ଘଟଣାର ତଦନ୍ତ ଚଳାଇଥିଲା । ଏହି ଘଟଣାରେ ଦୁଷ୍ମନ୍ତ ଏବଂ ରଞ୍ଜିତ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କ ଠାରୁ କିଛି ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା । ଏପରିକି ବାରକୋଟ ଥାନା ଅଂଚଳରୁ ଚୋରି ହୋଇଥିବା ଏକ ବାଇକ ମଧ୍ୟ ସେମାନଙ୍କ ଠାରୁ ଉଦ୍ଧାର ହୋଇଛି । ଉଭୟଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।