ରାଜ୍ୟ ପ୍ରାକ୍‌ ବଜେଟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଆଜି

ଭୁବନେଶ୍ୱର, ୭।୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକବର୍ଷ ଲାଗି କରାଯାଇଥିବା ବଜେଟରୁ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ଆସନ୍ତା ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବଜେଟର ସମୀକ୍ଷା ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏସଂକ୍ରାନ୍ତରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସବୁ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି, ଶନିବାର ଅପରାହ୍ନ ୩ଟାରେ ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମୀକ୍ଷା ବୈଠକରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଉଭୟ ବର୍ଷର ବଜେଟ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବେ। ସମୀକ୍ଷା ପ୍ରାୟ ୨ଘଣ୍ଟା ୧୦ ମିନିଟ ଧରି ଚାଲିବ। ୨୦୨୫-୨୬ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଆଲୋଚନା ହେବ। ତେଣୁ ଏହି ବୈଠକରେ ଯୋଗଦେବା ପାଇଁ ଅର୍ଥବିଭାଗ ପ୍ରମୁଖ ସଚିବ ପତ୍ରଲେଖି ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୧୭ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ୨୦ରେ ରାଜ୍ୟ ବଜେଟ ଆସିବ। ଏଥିପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ଅର୍ଥ ବିଶାରଦମାନଙ୍କଠାରୁ ମତାମତ ଲୋଡ଼ିଛନ୍ତି। ବଜେଟର ବ୍ୟୟ ଅଟକଳ ୩ଲକ୍ଷ କୋଟି ଟଙ୍କାରୁ ବଢ଼ିବାକୁ ଲକ୍ଷ୍ୟ ରହିଛି। ୨୦୨୪-୨୫ ଆର୍ଥିକବର୍ଷରେ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଅଣାଯାଇଥିବା ବଜେଟ୍‌ରେ ପ୍ରଶାସନିକ ବ୍ୟୟ ବାବଦକୁ ୯୭ହଜାର ୭୨୫କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବାବଦକୁ ୧ଲକ୍ଷ ୫୫ହଜାର କୋଟି ଟଙ୍କା ରହିଥିଲା। ଏହାସହିତ ୩ହଜାର ୯୦୦କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବାବେଳେ ୮ହଜାର ୩୭୫କୋଟି ଅନ୍ୟାନ୍ୟ ବ୍ୟୟ ବାବଦକୁ ରହିଥିଲା। ସେହିପରି ୨୦୨୫-୨୬ ଆର୍ଥିକବର୍ଷ ଲାଗି ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧ଲକ୍ଷ ୮ହଜାର କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧ଲକ୍ଷ ୭୦ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୪ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ଲାଗି ୮ହଜାର କୋଟି ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୩୬ରେ ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ଚଳିତବର୍ଷ ୨୮ଟି ନୂତନ ଏନ୍‌ଏସି ଓ ୭ଟି ପୌରପାଳିକା ନିର୍ବାଚନ ସାଙ୍ଗକୁ ୨୦୨୭ ପ୍ରଥମାର୍ଦ୍ଧରେ ପଞ୍ଚାୟତ ନିର୍ବାଚନ ହେବାକୁ ରହିଛି। ଏହି ଦୃଷ୍ଟିରୁ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ।

Dharitri – Odisha’s No.1 Odia Daily