ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା ପରିସରରେ ରାଜ୍ୟସ୍ତରୀୟ ପଞ୍ଚମ ଧନୁଯାତ୍ର କୁଇଜ୍ ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହେଇଯାଇଛି। ମହତାବ ଶିଶୁ ସାହିତ୍ୟ ସଂସଦ ଓ ଶିଶୁ ସାହିତ୍ୟ ପତ୍ରିକା ‘କଳାମାଣିକ’ ଆନୁକୂଲ୍ୟରେ ଆୟୋଜିତ ତଥା ସାହିତି୍ୟକ ମନୋରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରତିଯୋଗିତାର ପ୍ରଶଂସା କରିବା ସହିତ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ବିଷୟରେ ଅବଗତ ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଯୋଗଦେଇ ଛାତ୍ରୀଛାତ୍ରମାନେ ଆମର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ବିଷୟ ପ୍ରତି ଆନ୍ତରିକତା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିତମ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, ଶିକ୍ଷକ ଦୁଃଖିସେବକ ସାହୁ, ସାହିତି୍ୟକା ସୁପ୍ରଭା ସାମଲ, ସାମାଜିକ କର୍ମୀ ସଂଘମିତ୍ରା ପଟେଲ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ପ୍ରତିଯୋଗିତାର ସିନିଅର ବିଭାଗରେ ଯୁବୋଦୟ କଲେଜ ବଲାଙ୍ଗୀରର ଛାତ୍ରୀ ଆଦ୍ୟାଶା ପ୍ରଧାନ ପ୍ରଥମ, ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଆୟାଶ ପଣ୍ଡା ଦ୍ୱିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କନଗାଁର ଛାତ୍ରୀ ଶ୍ରୀୟା ବାରିକ ତୃତୀୟ ଏବଂ ଜୁନିଅର ବିଭାଗରେ ଗୋବିନ୍ଦପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଂଶୁମାନ ଦାସ ପ୍ରଥମ, ସିମେଣ୍ଟ ନଗର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅସ୍ମିତା ପଟ୍ଟନାୟକ ଦ୍ବିତୀୟ ଓ ଶ୍ରୀଅରବିନ୍ଦ ସ୍କୁଲର ଛାତ୍ର ସ୍ମୃତି ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସମ୍ପାଦକ ଡ. ରବିନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା ଓ ଆବାହକ ରାଜେନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।