ଆଜି ରାଜ୍ୟ କ୍ୟାବିନେଟ: ଆସିପାରେ ୪ରୁ ଅଧିକ ପ୍ରସ୍ତାବ

ଭୁବନେଶ୍ୱର,୧୦ା୯(ରବିନାରାୟଣ ଜେନା): ରାଜ୍ୟ କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁଥିବା ଏହି କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଭଳିି ୪ଟି ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦିଆଯିବାକୁ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତାକୁ ନେଇ ରାଜ୍ୟ ସରକାର ଗତ ୧୪ ମାସ ମଧ୍ୟରେ ୧୧ଟି ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ‘ସୁଭଦ୍ରା’ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ପରିମାଣ ୩,୫୦୦ଟଙ୍କା(୮୦ ବର୍ଷରୁ ଊର୍ଦ୍ଧ୍ୱ)କୁ ବୃଦ୍ଧି କରିବା ଭଳି ଲୋକାଭିମୁଖୀ ଯୋଜନା ରହିଛି। ତେବେ ବୁଧବାର ଅନୁଷ୍ଠିତ ହେବାକୁଥିବା କ୍ୟାବିନେଟ୍‌ ବୈଠକରେ ରାଜ୍ୟ ସରକାର କେଉଁସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେବେ ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।

Share
Tags: odisha