ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି। ଏହି ସମୟରେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬’ ରିପୋର୍ଟରୁ ଜଣାଯାଇଛି।
ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷର ବଜେଟ ଉପସ୍ଥାପନ ହେବାକୁ ରହିଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆସନ୍ତା ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଣ୍ଡପିଛା ଆୟ ବଢ଼ିବା ନେଇ ଏକ ସବୁଜ ସଙ୍କେତ ଦେଇଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ମୂଲ୍ୟରେ ଓଡ଼ିଶାର ଅର୍ଥନୀତିର ଆକାର (ଜିଏସ୍ଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯% ରହିବା ନେଇ ଆକଳନ କରାଯାଇଛି, ଯାହା ୨୦୨୪-୨୫ର ୭.୨% ବୃଦ୍ଧି ହାରଠାରୁ ଅଧିକ ରହିଛି। ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪%ଠାରୁ ଅଧିକ। ୨୦୨୫-୨୬ରେ ସମସ୍ତ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ହାର ଦେଖାଯାଇଛି ଏବଂ ରାଜ୍ୟରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇବାରୁ ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଦ୍ରୁତ୍ ଆର୍ଥିକ ବୃଦ୍ଧି ପାଇଁ ପ୍ରସ୍ତୁତ ରହିଥିବା ଜଣାଯାଇଛି। ତେବେ ବର୍ତ୍ତମାନର ମୂଲ୍ୟରେ ମୁଣ୍ଡପିଛା ଆୟ ୨୦୧୫-୧୬ ତୁଳନାରେ ୨୦୨୫-୨୬ରେ ଓଡ଼ିଶାର ବାର୍ଷିକ ମୁଣ୍ଡପିଛା ଆୟ ୧ଲକ୍ଷ ୮୬ହଜାର ୭୬୧ଟଙ୍କା ରହିଥିବାବେଳେ ସର୍ବଭାରତୀୟସ୍ତରରେ ୨ଲକ୍ଷ ୧୯ହଜାର ୫୭୫ଟଙ୍କା ଆକଳନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ରିପୋର୍ଟ ଅନୁଯାୟୀ, ତେଲଙ୍ଗାନାର ମୁଣ୍ଡପିଛା ଆୟ ୨୦୨୩-୨୪ (ଟଙ୍କାରେ) ସର୍ବାଧିକ ୩ଲକ୍ଷ ୪୭ହଜାର ୭୧୪ଟଙ୍କା ରହିଥିବାବେଳେ କର୍ନାଟକର ୩ଲକ୍ଷ ୩୯ହଜାର ୮୧୩, ହରିୟାଣାର ୩ଲକ୍ଷ ୧୯ହଜାର ୩୬୩, ତାମିଲନାଡୁର ୩ଲକ୍ଷ ୧୩ ହଜାର ୩୨୯, ଗୁଜରାଟର ୩ଲକ୍ଷ ୯୫୭, କେରଳର ୨ଲକ୍ଷ ୮୧ହଜାର ୨୬୯, ମହାରାଷ୍ଟ୍ରର ୨ଲକ୍ଷ ୭୮ହଜାର ୬୮୧, ଆନ୍ଧ୍ରପ୍ରଦେଶର ୨ଲକ୍ଷ ୩୭ହଜାର ୯୫୧, ପଞ୍ଜାବର ୨ଲକ୍ଷ ୫ହଜାର ୩୭୪, ରାଜସ୍ଥାନର ୧ଲକ୍ଷ ୬୬ହଜାର ୬୪୭ ଟଙ୍କା ରହିଥିବାବେଳେ ଓଡ଼ିଶାର ୧ଲକ୍ଷ ୫୫ହଜାର ୧୨୫ଟଙ୍କା ଥାଇ ୧୧ତମ ସ୍ଥାନରେ ରହିଛି।
ତେବେ ଆର୍ଥିକ ପରିଚାଳନାରେ ଓଡ଼ିଶା ଭଲ ରହିଛି। ୨୦୨୫-୨୬ରେ ଓଡ଼ିଶାର ଋଣ ଓ ଜିଏସ୍ଡିପି ଅନୁପାତ ୧୩.୬ ପ୍ରତିଶତ ରହିବା ପାଇଁ ବଜେଟ କରାଯାଇଛି। ଯାହା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ ଏବଂ ଏଫ୍ଆର୍ବିଏମ୍ ସୀମା ୨୫%ଠାରୁ ମଧ୍ୟ ଯଥେଷ୍ଟ କମ୍। ଏହାବ୍ୟତୀତ ରାଜସ୍ବ ପ୍ରାପ୍ତି ଅନୁପାତ (ଆଇପିଆର୍ଆର୍) ସହିତ ସୁଧ ଦେୟ ୨.୮%ରେ ରହିଛି, ଯାହା ନିର୍ଦ୍ଧାରିତ ୧୫% ସୀମା ମଧ୍ୟରେ ରହିଛି। ସେହିପରି ପୁଞ୍ଜି ବ୍ୟୟକ୍ଷେତ୍ରରେ ପ୍ରମୁଖ ରାଜ୍ୟ ମଧ୍ୟରେ ଜିଏସ୍ଡିପିର ଅନୁପାତରେ ସର୍ବାଧିକ ପୁଞ୍ଜି ବ୍ୟୟବରାଦ ପାଇଁ ଓଡ଼ିଶା ବଜେଟ ପ୍ରସ୍ତୁତ ହୋଇଛି। ୨୦୨୫-୨୬ରେ ଜିଏସ୍ଡିପିର ପ୍ରତିଶତ ଭାବରେ ପୁଞ୍ଜି ବ୍ୟୟବରାଦ ୬.୬%କୁ ଲକ୍ଷ୍ୟ ରଖି ବଜେଟ କରାଯାଇଥିଲା, ଯାହା ୨୦୨୪-୨୫ର ୫.୦%ରୁ ବୃଦ୍ଧି ପାଇଛି। କୃଷି କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ ହୋଇଛି। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬ ପ୍ରତିଶତ ଆକଳନ କରାଯାଇଛି, ଯାହା ସର୍ବଭାରତୀୟ ସ୍ତରରେ ଥିବା ୧୬.୮%ଠାରୁ ଅଧିକ। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୨୦୨୫-୨୬ରେ ୫.୩% ଅଭିବୃଦ୍ଧି ହୋଇଛି, ଯାହା ସର୍ବଭାରତୀୟ ସ୍ତରରେ ୩.୧%ଠାରୁ ଅଧିକ ରହିଛି।