ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡି ଖୋଲିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣି ଭର୍ତ୍ତି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ବସ୍ତାଟିଏ ଧାନ ମଧ୍ୟ ବିକ୍ରି ହୋଇପାରି ନାହିଁ। ଅନ୍ୟପକ୍ଷରେ ସୋମବାର ଭୋର୍ରୁ ହୋଇଥିବା ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ ଏଭଳି ସ୍ଥିତିରେ ଅଞ୍ଚଳର ଜନ ପ୍ରତିନିଧିଙ୍କ ଦେଖା ନାହିଁ। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢି ଚାଲିଛି ଏବଂ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ଆଜି ସକାଳୁ ଚାଷୀମାନେ ବରଗଡ଼ ଆର୍ଏମସି ଅଧୀନ କଲାପାଣି ମଣ୍ଡିରେ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରୁଛନ୍ତି। ଫଳରେ କୌଣସି ମୁହୂର୍ତ୍ତରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ଆଶଙ୍କା ଦେଖାଦେଇଛି। ଏହାକୁ ଏଡ଼ାଇବା ପାଇଁ ଆନ୍ଦୋଳନ ପୂର୍ବରୁ କଲାପାଣି ମଣ୍ଡିରେ ପୋଲିସ ଛାଉଣି ଏବେ ଚର୍ଚ୍ଚାର ବିଷୟ ହୋଇଛି।