ପୁରୁଣା ଭୁବନେଶ୍ୱର/ପିପିଲି,୨ା୨(ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର/ପ୍ରଭାତ ମହାପାତ୍ର): ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ କିନ୍ନରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କଟକ ଜିଲା ସାଲେପୁର ଅଞ୍ଚଳର ଦିନେଶ ଓରଫ୍ ସୋନାକ୍ଷୀ। ସେ ଭୁବନେଶ୍ୱରରେ ଭଡ଼ାଘରେ ରହୁଥିଲେ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ପିପିଲି ଥାନା ଆଇଆଇସି ସୌମେନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନା ମୁତାବକ, ସିଫା ନିକଟ ରାସ୍ତାରେ ରାତି ପ୍ରାୟ ୮ଟାରେ ସୋନାକ୍ଷୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। କିଛି ସମୟ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ସହଯୋଗୀମାନେ ଦେଖି ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଏନେଇ କିନ୍ନର ନେତ୍ରୀ ମୀରା ପରିଡ଼ା ପୁଣି ରାଗିଛନ୍ତି। ବାରମ୍ବାର କିନ୍ନରମାନଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ନିନ୍ଦନୀୟ। ତୁରନ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି।

