ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର ଦୁଇ ସହଯୋଗୀ ପବିତ୍ର ମୋହନ ବେହେରା ଓ ଅମିୟ କୁମାର ମନ୍ତ୍ରୀଙ୍କୁ ଗିରଫ କରିଛି।
ଏୟାରପୋର୍ଟ ପୋଲିସ ତିନି ଅଭିଯୁକ୍ତଙ୍କଠାରୁ ୪ ଲକ୍ଷ ଟଙ୍କା ନଗଦ, ୧ଟି ହିରୋ ହୋଣ୍ଡା ପ୍ୟାଶନ ମୋଟରସାଇକଲ, ୧ଟି ହ୍ୟୁଣ୍ଡାଇ କ୍ରେଟା କାର, ୨ଟି ମୋବାଇଲ ଫୋନ, ୧ଟି ପାସବୁକ ଏବଂ ନିଯୁକ୍ତି ପ୍ରାର୍ଥୀଙ୍କର HSC ଓ ଅନ୍ୟାନ୍ୟ ଶିକ୍ଷାଗତ ପ୍ରମାଣପତ୍ର ଜବତ କରିଛି।
ଅଭିଯୋଗକାରୀ ସଜନ କୁମାର ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ ଏୟାରପୋର୍ଟ ଥାନାରେ ମାମଲା ନମ୍ବର ୩୧୨ (୧୭.୦୯.୨୦୨୫) ରୁଜୁ ହୋଇଛି। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି।
ଅଭିଯୋଗ ଅନୁଯାୟୀ, ପତିତପାବନ ପତି ତାଙ୍କ ସହଯୋଗୀ ପବିତ୍ର ମୋହନ ବେହେରା ମାଧ୍ୟମରେ ସାହୁଙ୍କଠାରୁ ନିଯୁକ୍ତି ଦେବାର ମିଛ ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଟଙ୍କା ଓ ଶିକ୍ଷାଗତ ପ୍ରମାଣପତ୍ର ନେଇଥିଲେ। କିନ୍ତୁ ନିଯୁକ୍ତି ମିଳି ନ ଥିବା ଓ ଟଙ୍କା କିମ୍ବା ପ୍ରମାଣପତ୍ର ଫେରସ୍ତ ନ ହେବାରୁ ସାହୁ ଥାନାରେ ଅଭିଯୋଗ କରିଥିଲେ।
ତଦନ୍ତରେ ଜଣାପଡ଼ିଛି ଯେ, ପତି ଓ ତାଙ୍କ ସହଯୋଗୀମାନେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଦେବାର ମିଛ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀଙ୍କଠାରୁ ଟଙ୍କା ଓ ପ୍ରମାଣପତ୍ର ସଂଗ୍ରହ କରୁଥିବା ଏକ ସଙ୍ଗଠିତ ଠକେଇ ଚକ୍ର ଚଳାଉଥିଲେ। ଏହି ଚକ୍ର ଓଡ଼ିଶାର ବିଭିନ୍ନ ଜିଲାରେ ସକ୍ରିୟ ଥିଲା। ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ଓ ଅନ୍ୟ ଶିକାରଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।