ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍-ବି’ର ଅନ୍ତିମ ମ୍ୟାଚ୍ରେ ଶ୍ରୀଲଙ୍କା ୬ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହା ଶ୍ରୀଲଙ୍କାର କ୍ରମାଗତ ତୃତୀୟ ବିଜୟ। ଏହି ବିଜୟ ସହ ଗ୍ରୁପ୍-ବି’ରୁ ଶ୍ରୀଲଙ୍କା ଓ ବାଂଲାଦେଶ ସୁପର-୪’ରେ ସ୍ଥାନ ପକ୍କା କରିଛନ୍ତି।
ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୯ ରନ କରିଥିଲା। ଦଳ ୧୯ ଓଭର ସୁଦ୍ଧା ୭ ଉଇକେଟ ହରାଇ ୧୩୭ ରନ କରି ସଂଘର୍ଷ କରୁଥିଲା। ହେଲେ ମହମ୍ମଦ ନବି ଶେଷ ଓଭରରେ ଲଗାତର ୫ ଛକା ଲଗାଇ ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ନବି ୨୨ ବଲରେ ୩ ଚୌକା ଓ ୬ ଛକା ସହିତ ୬୦ ରନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରଶିଦ ଖାନ ଓ ଇବ୍ରାହିମ ଜଦ୍ରାନ ୨୪ ଲେଖାଏ ରନ କରିଥିଲେ। ଶ୍ରୀଲଙ୍କା ପାଇଁ ଥୁସାରା ୪ ଉଇକେଟ ନେଇଥିଲେ। ଜବାବରେ ଶ୍ରୀଲଙ୍କା ୧୮.୪ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ କୁସାଲ ମେଣ୍ଡିସ ୭୪ ଓ କାମିଣ୍ଡୁ ମେଣ୍ଡିସ ୨୬ ରନ କରି ମ୍ୟାଚ୍ ଫିନିଶ କରିଥିବା ବେଳେ କୁସାଲ ପେରେରା ୨୮ ରନ କରିଥିଲେ। ଆଫଗାନିସ୍ତାନ ପାଇଁ ମୁଜିବ ଉର ରହମାନ, ଆଜମାତୁଲା ଓମାରଜାଇ, ମହମ୍ମଦ ନବି ଓ ନୂର ଅହମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

