ଫୁଲବାଣୀ,୨ା୮(ରାକେଶ କୁମାର ରାଉତ): ଏବେ କାଉଡିଆଙ୍କ ଭିଡ଼ ଲାଗିଛି ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ। ଅନେକ ଆକର୍ଷଣୀୟ କାଉଡି ଏବେ ଦର୍ଶନୀୟ ବସ୍ତୁ ପାଲଟିଛି। ଶନିବାର ଫୁଲବାଣୀ ସହରରୁ ଏଭଳି ଅନେକ କାଉଡିଆ ଦଳ ସୁଦୃଶ୍ୟ କାଉଡି ଭାର ଧରି ଶ୍ରାବଣୀ ଯାତ୍ରାରେ ବାହାରିବା ଦୃଶ୍ୟ ବେଶ ଆକର୍ଷଣୀୟ ଥିଲା।
ହନୁମାନ ମନ୍ଦିର ସାହିର ୨୭ ଫୁଟର କାଉଡି ଭାରରେ ଶୋଭା ପାଉଥିଲେ ମହାଦେବଙ୍କ ବୃଷଭ ପ୍ରତିମୂର୍ତ୍ତି। ସେହିଭଳି ଅନ୍ୟ ସାହିର କାଉଡିଆଙ୍କ ଭାରରେ ଡମ୍ବରୁ ଓ ଗରୁଡ଼ ଶୋଭା ପାଉଥିଲେ। ବୋଲବମ ଧ୍ବନି ଦେଇ ନିକଟସ୍ଥ ନଦୀରୁ ଜଳ ସଂଗ୍ରହ କରି ମାନସିକଧାରୀମାନେ ଚକାପାଦ ବିରୁପାକ୍ଷ ପୀଠ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ମହାଦେବଙ୍କୁ ଶ୍ରଦ୍ଧାଳୁମାନେ ଜଳ ଅର୍ପଣ କରିବେ ।


