ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ୧୩ ଜୁନ ୧୯୫୧ରେ ଜନ୍ମଗ୍ରହଣ କରିଥିବା ରବି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ ସେ। ଜୋର ଯାର ମୂଲକ ତାର,କି ହେବ ଶୁଆ ପୋଷିଲେ, ଉଦଣ୍ଡୀ ସୀତା ଓ ପଞ୍ଜୁରୀ ଭିତରେ ଶାରୀ ଫିଲ୍ମର ସେ ଥିଲେ ପ୍ରଯୋଜକ।
ସେ କେବଳ ଜଣେ ସଫଳ ପ୍ରଯୋଜକ ନୁହନ୍ତି, ବରଂ ଜଣେ ଦୂରଦର୍ଶୀ ଶିକ୍ଷାବିତ୍ ଏବଂ ଶିଳ୍ପପତି ଭାବେ ମଧ୍ୟ ବେଶ ପରିଚିତ। ସେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପିପିଲି ତଥା ଆଖପାଖ ଅଞ୍ଚଳରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।