ପୁଣି ଜଣେ ବିଧାୟକଙ୍କୁ ୭ ଦିନ ପାଇଁ ସସ୍‌ପେଣ୍ଡ୍‌ କଲେ ବାଚସ୍ପତି, କହିଲେ ଦାଗିଦ୍‌ ସତ୍ତ୍ୱେ…

ଭୁବନେଶ୍ୱର,୨୬ା୩: ଏବେ ବିଧାନସଭାରୁ ଖାଲି ବିଧାୟକ ସସ୍‌ପେଣ୍ଡ୍‌ ହେବାରେ ଲାଗିଛନ୍ତି। ମଙ୍ଗଳବାର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ ବା ନିଲମ୍ବନ କରାଯାଇଥିବା ବେଳେ ଆଜି ବୁଧବାର ଆଉ ଦୁଇ କଂଗ୍ରେସ ବିଧାୟକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଏହି ଦୁଇ ବିଧାୟକ ହେଲେ ବରିଷ୍ଠ ନେତା କୋରାପୁଟ ଜିଲା ଜୟପୁରର ତାରାପ୍ରସାଦ ବାହିନୀପତି ଏବଂ ଗଞ୍ଜାମ ଜିଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା।

ଉଭୟଙ୍କୁ ବାଚସ୍ପତି ସୁରମା ପାଢ଼ୀ ସସ୍‌ପେଣ୍ଡ୍‌ କରିଛନ୍ତି। ବାଚସ୍ପତିଙ୍କ ତାଗିଦ୍‌ ସତ୍ତ୍ୱେ ଉଭୟ ବିଧାୟକ ଗୃହ ମଧ୍ୟରେ ଘଣ୍ଟ ପିଟି ଚାଲିଥିଲେ। ଏପରି ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି। କାଲି ୧୨ ଜଣ ଏବଂ ଆଜି କଂଗ୍ରେସର ୨ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯିବାରୁ ଏହିପରି ମୋଟ୍‌ ୧୪ ବିଧାୟକ ସସ୍‌ପେଣ୍ଡ୍‌ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଥିଲା।

Share