ଭୁବନେଶ୍ୱର,୧୬ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ୍ ଭୋଟିଂ ହୋଇଥିବା ଜୋର୍ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି। ବାପାଙ୍କୁ ବହିଷ୍କାର କରିଥିଲେ। ମୋତେ କଲେନି କାହିଁକି। ନବୀନ ନିବାସ ଘଟଣାକୁ ନେଇ କ୍ରୋଧିତ ବୋଲି ସ୍ପଷ୍ଟ ଜଣାପଡୁଛି।
ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି ବାପା ପ୍ରଥମେ କହିଥିଲେ। ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତା’ର ପ୍ରତିଶୋଧ ନେଇଛି। ମିଡ୍ ନାଇଟ୍ ଅପରେଶନ କଲା କିଏ, କାହାଠି ଦାଗ ଲାଗିଲା ବୋଲି ସୌଭିକ୍ ପ୍ରଶ୍ନ କରିଛନ୍ତି। ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଲା କିଏ, ଦୋଷ ମୁଣ୍ଡାଇଲା କିଏ। ଚିଟଫଣ୍ଡ ଟଙ୍କା ଖାଇଲା କିଏ, ଦୋଷ ମୁଣ୍ଡାଇଲା କିଏ। ୨୯ ବର୍ଷ ହେଲା ବାପା ବିଜେଡି ପାଇଁ ସର୍ବସ୍ବ ଦାନ କରିଥିଲେ। ପ୍ରତିଦାନରେ କ’ଣ ମିଳିଛି ବୋଲି ସୌଭିକ୍ ପ୍ରଶ୍ନ କରିଛନ୍ତି। ସୌଭିକ୍ଙ୍କ ସ୍ତ୍ରୀ ଅନନ୍ୟା ପ୍ରିୟଦର୍ଶିନୀ ମଧ୍ୟ ଖୋଲାଖୋଲି କହିଛନ୍ତି, ମୋ’ ସ୍ବାମୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, ଆମ ସଂସ୍କୃତିରେ ଅଛି ଯଦି କିଏ ଅନ୍ୟାୟରେ କହିବେ ଆମେ କ’ଣ ସହିଯିବୁ? ଆମେ କେମିତି ତାଙ୍କୁ ସର୍ପୋଟ କରିବୁ। ମୋ’ ଶ୍ୱଶୁରଙ୍କ ସହ ଅନ୍ୟାୟ ହୋଇଛି। ସେ ଅନ୍ୟାୟର ପ୍ରତିବାଦ କରିବାରୁ ତାଙ୍କ ବେକ କାଟି ଦିଆଗଲା। ସେହି କ୍ଷେତ୍ରରେ ପୁଅ ହୋଇ କେମିତି ସହିବେ। ସେ ଅନ୍ୟାୟର ପ୍ରତିବାଦ ତ କରିବେ ବୋଲି ଅନନ୍ୟା କହିଛନ୍ତି।
ସେହିପରି କଂଗ୍ରେସରୁ ୩ କ୍ରସ୍ ଭୋଟିଂ ହୋଇଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଏବଂ ଦାଶରଥି ଗମାଙ୍ଗ କ୍ରସ୍ ଭୋଟିଂ କରିଛନ୍ତି। ଏନେଇ ଟେଲିଫୋନ୍ରେ ଏଆଇସିସିକୁ ଜଣାଇ ଦିଆଯାଇଥିବା ଭକ୍ତ କହିଛନ୍ତି। ରମେଶ ଜେନା କ୍ରସ୍ ଭୋଟିଂ କରିବେ ବିଶ୍ବାସ କରୁ ନ ଥିଲି। ବିଧାନସଭାରେ ଆମେ ସେମାନଙ୍କ ସହ ଆଉ ବସିବୁ ନାହିଁ ବୋଲି ଭକ୍ତ କହିଛନ୍ତି।
ସେହିପରି ଦଳର ହ୍ୱିପ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କ୍ରସ୍ ଭୋଟିଂ କରିଛନ୍ତି ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ। ବିଜେଡିର ଚକ୍ରମଣି କହଁର, ସୁବାସିନୀ ଜେନା ପ୍ରମୁଖ କ୍ରସ୍ ଭୋଟିଂ କରିଥିବା ସୂଚନା ମିଳିଛି। ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଦଳର ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନ ଥିବା ବି ଜଣାପଡ଼ିଛି।