କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର କୀରମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହ। ୧୧ ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରୁ ଝିଅଟିର କରୁଣ ମୃତ୍ୟୁ କାହାଣୀ ଲିଭି ନାହିଁ ଅନେକ ଏହାକୁ ଜୀବନ ସାରା ମନେ ରଖିବେ। ଝିଅଟି ନିର୍ଯାତନା ବିରୋଧରେ ସଂଗ୍ରାମ କରିଥିଲା। ଶେଷ ପର୍ଯ୍ୟନ୍ତ ତେବେ ଲଢୁଆ ଝିଅ ଦେହରେ କିପରି ନିଆଁ ଲାଗିଲା ତାକୁ ନିଆଁ ଲଗାଇ ଦିଆଯାଇଛି ନା ଏହା କରିବାକୁ ବାଧ୍ୟ କରାଯାଇଛି ତାହା ଏଯାଏ ସନ୍ଦେହ ଘେରରେ ରହିଛି। ତେଣୁ ଏହି ଘଟଣା ପରେ ପ୍ରଥମ ଦିନରୁ କଂଗ୍ରେସ ଦଳ ଝିଅକୁ ନ୍ୟାୟ ଲାଗି ଆନ୍ଦୋଳନ କରୁଛି। ପର୍ଯ୍ୟାୟ କ୍ରମେ ଆନ୍ଦୋଳନ ଚାଲି ଥିଲାବେଳେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆଜି ସୌମ୍ୟାଶ୍ରୀଙ୍କ ଏକାଦଶାହ ଅବସରରେ ଜିଲା କଂଗ୍ରେସ ଭବନରେ ଆତ୍ମାର ସଦଗତି ଲାଗି ଫଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଧୂପ ପ୍ରଦାନ କରି ଯାଇଥିଲା। କ୍ୟାଣ୍ଡେଲ ଜଳାଇ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା କର୍ମୀଙ୍କ ସହ ଅନେକ ଯୁବ ଛାତ୍ର ଯୋଗ ଦେଇଥିଲେ। ଜିଲା କଂଗ୍ରେସ ସଂଯୋଜିକା ସୁଶ୍ରୀ ସଂଗୀତା ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶୋକ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ା, ପୂର୍ବତନ ସଦର ବିଧାୟକ ତଥା ପିସିସି ସାଧାରଣ ସଂପାଦକ ସୁବର୍ଣ୍ଣ ନାୟକ, ପିସିସି ଦଳିତ ସେଲ ସାଧାରଣ ସମ୍ପାଦକ ରଘୁନାଥ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର,ବସନ୍ତ ଦାସ, ରତ୍ନାକର ଜେନା, ପ୍ରତିଭା ମଞ୍ଜରୀ ନାୟକ, ଉତ୍ତମ କୁମାର ସାହୁ, ଐତିହ୍ୟ ଦିବ୍ୟ ସିଂହ, ସୁଢଳ କୁମାର ସେଠୀ, ପୂର୍ଣ୍ଣଚନ୍ଦ୍ର ଦାସ, ଦିନେଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ।


