ମାଟ୍ରିକ୍‌ ପାସ୍‌ କଲେ ସୋରଡା ବିଧାୟକ; ରହିଲା B2 ଗ୍ରେଡ୍‌

ସୋରଡା,୨୪।୮(ଡି.ଏନ୍‌.ଏ.): ମାଟ୍ରିକ ଅଫଲାଇନ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପାସ କରିଛନ୍ତି। ସେ ୫୦୦ରୁ ୩୪୦ ନମ୍ବର ରଖିଥିବା ବେଳେ ତାଙ୍କୁ B2 ଗ୍ରେଡ୍‌ ମିଳିଛି। ଇଂରାଜୀରେ ବିଧାୟକ ୧୦୦ରୁ ୪୪ ରଖିଛନ୍ତି। ସେହିଭଳି ଓଡ଼ିଆରେ ୧୦୦ରୁ ୬୭, ସାମାଜିକ ବିଜ୍ଞାନରେ ୧୦୦ରୁ ୬୧, ହୋମ୍‌ ସାଇନ୍ସରେ ୧୦୦ରୁ ୮୩, ଚିତ୍ରାଙ୍କନରେ ୧୦୦ରୁ ୮୫ ମାର୍କ ରଖିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ତିନି ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ହେଁ ସୁଯୋଗ ପାଇ ନ ଥିଲେ। ଚଳିତ ଥର କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାଛଡ଼ା ପରୀକ୍ଷାଫଳରେ ଅସନ୍ତୁଷ୍ଠ ପରୀକ୍ଷାର୍ଥୀଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଧାୟକ ସେହି ପରୀକ୍ଷା ଦେଇଥିଲେ। ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ଆଇସୋଲେଶନ ଓ୍ବାର୍ଡରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା।