ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ ମାତ୍ର ମୁଁ ଜାଣି ନ ଥିଲି। ସୋସିଆଲ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ କରିବାର ଥିଲା ବୋଲି ସୋଫିଆ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତଙ୍କୁ ଏକାଠି ନେଇ କାମ କଲେ କଂଗ୍ରେସ ଆଗକୁ ବଢ଼ିବ। ଅନ୍ୟପକ୍ଷରେ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ବିଶ୍ୱଜିତ୍।
ସୂଚନା ଥାଉକି, କଂଗ୍ରେସ ଭବନଠାରେ ଶନିବାର ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଥିଲେ। ମହାନ୍ତିଙ୍କୁ ସ୍ବାଗତ କରି ସଭାପତି ଦାସ କହିଥିଲେ, ‘ବିଶ୍ୱଜିତ ବାବୁଙ୍କ ପିତା ବାରିଷ୍ଟର ରଣଜିତ୍ ମହାନ୍ତି ମୋର ଜଣେ ମାର୍ଗଦର୍ଶକ ଥିଲେ ଏବଂ ମତେ ପୁତ୍ରବତ ସ୍ନେହ କରୁଥିଲେ। ବିଶ୍ୱଜିତ ବାବୁଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବ। କଟକ ଏକ ବୈଚାରିକ ସହର, କଂଗ୍ରେସ ପ୍ରତି ଅନେକ ବିଚାରନ୍ତ ମହାନୁଭବଙ୍କ ଦାନ ଅତୁଳନୀୟ। ତେଣୁ ଐତିହାସିକ ଏବଂ ମର୍ଯ୍ୟାଦା ଦୃଷ୍ଟିରୁ କଟକ କଂଗ୍ରେସ ପାଇଁ ମହତ୍ତ୍ୱପୂର୍ଣ୍ଣ। କଂଗ୍ରେସ ବର୍ତ୍ତମାନ ଆଗେଇ ଚାଲିଛି, ଅଧିକରୁ ଅଧିକ ଲୋକ ଦଳରେ ସାମିଲ ହେଉଛନ୍ତି।’ ମହାନ୍ତି ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ଓ ସଭାପତି ଦାସଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ, ‘କଂଗ୍ରେସକୁ ସଶକ୍ତ କରି କ୍ଷମତାସୀନ କରିବା ଓ ଭାଜପାକୁ ତଡ଼ିବା ଆମ ଲକ୍ଷ୍ୟ’।
ଏହି ମିଶ୍ରଣ ପର୍ବକୁ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରିଥିବାବେଳେ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାଶ, କଟକ ସିଟି ଜିଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, ଶାନ୍ତାୟନ ମିଶ୍ର ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ମହାନ୍ତିଙ୍କ ସମେତ ଲେଖିକା ଦିଶା ବରାଳ, ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ପୂର୍ବତନ କର୍ପୋରେଟର ପ୍ରବୀଣ ରାଉଳ, ଗାନ୍ଧୀବାଦୀ ବୟୋଜ୍ୟେଷ୍ଠ ବିଶ୍ୱ ଦାସ, ଯୁବ ବିଜେଡି ସମ୍ପାଦକ ଏସ୍ କେ ଅସଲାମ ତଥା ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିଥିଲେ।