୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର ଏକାଠି ହୋଇଛି। ଦୀର୍ଘ ୨ ବର୍ଷ ୯ ମାସର ପ୍ରତୀକ୍ଷା ପରେ ଝାଡ଼ଖଣ୍ଡର ଅନାମିକା ମୁଣ୍ଡା ନିଜ ପରିବାରକୁ ଫେରିଛନ୍ତି।
୨୦୨୩ରେ ‘ପରିଚୟ’ ଏନ୍‌ଜିଓ ମାଧ୍ୟମରେ ଅନାମିକାଙ୍କୁ ଯେତେବେଳେ ମିଶନ ଆଶ୍ରା-୨ କେନ୍ଦ୍ରକୁ ଅଣାଯାଇଥିଲା, ସେତେବେଳେ ତାଙ୍କ ମାନସିକ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସେ ନିଜର ପରିଚୟ ଦେବାକୁ ଅସମର୍ଥ ଥିବାବେଳେ କାହାରି ସହ କଥା ହେଉ ନ ଥିଲେ। ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ଉପଯୁକ୍ତ ଚିକିତ୍ସା, କାଉନସେଲିଂ ଏବଂ ଯତ୍ନ ପ୍ରଦାନ କରାଯାଇଥିଲା। ଧୀରେ ଧୀରେ ସେ ସୁସ୍ଥ ହେବା ସହ ନିଜ ଗ୍ରାମର ନାମ କହିପାରିଥିଲେ। ଅନାମିକାଙ୍କ ଦ୍ୱାରା ପ୍ରଦତ୍ତ ସୀମିତ ତଥ୍ୟକୁ ଆଧାର କରି ମିଶନ ଆଶ୍ରା ଟିମ ଗୁଗଲ ସାହାଯ୍ୟରେ ତାଙ୍କର ଠିକଣା ଝାଡ଼ଖଣ୍ଡର ପିଥୋରିଆ ଥାନା ଅଧୀନରେ ଥିବା ଜାଣିବାକୁ ପାଇଥିଲେ। ଭିଡିଓ କଲ ମାଧ୍ୟମରେ ଅନାମିକାଙ୍କୁ ତାଙ୍କ ପରିବାର ଦେଖିବା ପରେ ସେ ତାଙ୍କ ପରିଜନ ବୋଲି ପରିଚୟ ପ୍ରଦାନ କରିବା ସହ ସ୍ପଷ୍ଟ କରିଥିଲେ। ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନାମିକା ତାଙ୍କ ପୁଅକୁ ଭେଟିଥିଲେ।
ଉଲ୍ଲେଖଯୋଗ୍ୟ, ଜିଲା ପ୍ରଶାସନର ଏହି ଅଭିନବ ପ୍ରୟାସ ସ୍ନେହ ସେତୁ ଦ୍ୱାରା ଏପର୍ଯ୍ୟନ୍ତ ଅନେକ ବିଚ୍ଛିନ୍ନ ପରିବାର ଏକାଠି ହୋଇପାରିଛନ୍ତି।

Dharitri – Odisha’s No.1 Odia Daily