ମୋରଡା,୨୯।୧(ସ୍ମାରକ ମାଜୀ): ମା’ର ହତ୍ୟାକାରୀ ସାଜିଲା ପୁଅ। ଯେଉଁ ପୁଅକୁ ନିଜ ହାତରେ ଖୁଆଇ ପିଆଇ ବଡ଼ କରିଥିଲେ ସେହି ପୁଅ ମା’ର କାଳ ସାଜିଲା। ଏଭଳି ଘଟଣା ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଞ୍ଚଳରେ ଘଟିଛି ।
ସୂଚନା ମୁତାବକ, ଉକ୍ତ ଥାନା ଅଧୀନ ଭାଲିଆଡିହା ପଞ୍ଚାୟତର କଲରାଫୁଲିଆ ଗ୍ରାମର ରାଇମଣୀ ସିଂ ତାଙ୍କର ଏକମାତ୍ର ପୁଅ ତପନ ସହିତ ଘରେ ରହୁଥିଲେ। ତେବେ ତପନ ପ୍ରତିଦିନ ପ୍ରବଳ ମାତ୍ରାରେ ମଦ୍ୟ ପାନ କରୁଥିଲେ। ତପନଙ୍କ ମା’ ରାଇମଣୀ ଦିନ ମଜୁରିଆ କରି ଯାହା ବି ରୋଜଗାର କରି ଘରକୁ ଟଙ୍କା ଆଣନ୍ତି ତପନ ସେ ସବୁ ଟଙ୍କା ମଦ ପିଇବା ପାଇଁ ନେଇଯାଆନ୍ତି। ଯଦି ମା’ ରାଇମଣୀ ଟଙ୍କା ନ ଦିଅନ୍ତି ପୁଅ ତାଙ୍କୁ ମାଡ଼ ମାରନ୍ତି। ପୂର୍ବରୁ ତପନ ତାଙ୍କ ସ୍ତ୍ରୀକୁ ମାଡ଼ ମାରୁଥିବାରୁ ସ୍ତ୍ରୀ ତପନକୁ ଛାଡି ବାପ ଘରକୁ ଚାଲି ଯାଇଥିଲେ। ଆଜି ପୁଣି ଥିରେ ମା’ଙ୍କୁ ଟଙ୍କା ମାଗିଥିଲେ ତପନ। ହେଲେ ମା’ ଟଙ୍କା ନଦେବାରୁ ତାଙ୍କୁ ପିଟି ପିଟି ତପନ ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ସେପଟେ ଘଟଣାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାରୀ ପୁଅ ତପନ। ମା’ ଡାହାଣୀ ଗୁଣି କରି ସ୍ତ୍ରୀର ପେଟ ଭିତରେ ଛୁଆକୁ ମାରିଦେବାରୁ ସେ ମା’ଙ୍କୁ ମାରିଛନ୍ତି ବୋଲି କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।