ବରଗଡ଼,୨୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ତରାଜୁଙ୍ଗା ଗ୍ରାମରେ ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। । ଭଟଲି ପୋଲିସ ଏହି ଘଟଣାରେ ସ୍ତ୍ରୀ ସୁନୀତାଙ୍କ ସମେତ ଶାଶୁ, ଶ୍ବଶୁରଙ୍କୁ ଗିରଫ କରିଛି। ଗୁରୁବାର ସେମାନଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଭଟଲି ଥାନାରେ ଭାରତୀୟ ନ୍ୟାୟ ସଂହିତା ୧୦୩(୧) ଓ ୩(୫) ଦଫାରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଛତିଶଗଡ଼ ରାଜ୍ୟର ଉସରତ୍ ଗ୍ରାମର ଭାନୁ ଚୌହାନ ତରାଜୁଙ୍ଗା ଗ୍ରାମର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମାଆବାପାଙ୍କ ସହ ରହୁଥିଲେ ତେବେ ଗତ ୨୫ ତାରିଖ ସ୍ୱାମୀ ଭାନୁ ତାଙ୍କୁ ନେବା ପାଇଁ ଶ୍ବଶୁର ଘରକୁ ପହଞ୍ଚିଥିଲେ । ସେଠାରେ ସ୍ଵାମୀ, ସ୍ତ୍ରୀ ମଧ୍ୟରେ କଳିଗୋଳ ହୋଇଥିଲା । ଭାନୁଙ୍କ ସ୍ତ୍ରୀଙ୍କ ସହ ଶାଶୁ, ଶ୍ୱଶୁର ମିଶି ଭାନୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏପରିକି ସେ ଗୁରୁତର ଆହତ ହୋଇଥିବା ବେଳେ ସେମାନେ ତାଙ୍କୁ ଘରେ ବନ୍ଦ କରି ରଖିଥିଲେ । ପରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୀମସାର୍, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଥିଲା।