ଟିକିରି,୨୦।୨(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ମୁଣ୍ଡାଗାଁଠାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁରଙ୍କ ଠେଙ୍ଗାମାଡ଼ରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ବିଦ୍ୟା ଝୋଡ଼ିଆ (୨୦)। ଟିକିରି ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ଶ୍ୱଶୁର ବୁଡୁ ଝୋଡିଆଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ମୁଣ୍ଡାଗାଁରେ ଗତ ସୋମବାର ମାଘ ମହାଯାତ୍ରାରେ ଏକ ନାଟକ ଚାଲିଥିଲା। ଏହି ସମୟରେ ଉଭୟ ଶ୍ୱଶୁର ବୁଡୁ ଓ ଜ୍ୱାଇଁ ବିଦ୍ୟା ଅତ୍ୟଧିକ ମଦ୍ୟପାନକରି କୌଣସି ବିଷୟକୁ ନେଇ ଗଣ୍ଡଗୋଳ କରିଥିଲେ। ଏଥିରେ ଶ୍ୱଶୁର ବୁଡୁ ଉତ୍କ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ବାଉଁଶ ଠେଙ୍ଗା ଧରି ଜ୍ୱାଇଁ ବିଦ୍ୟାଙ୍କ ମୁଣ୍ଡରେ ଆଘାତ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ହସ୍ପିଟାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ। ହେଲେ ଗୁରୁବାର ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ମେଡିକାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବରପାଇ ଟିକିରି ଥାନା ଆଇଆଇସି ବିଶ୍ୱବନ୍ଦିନୀ ବାଗ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ସୂଚନାଯୋଗ୍ୟ, ମୃତକ ବିଦ୍ୟା ୩ ବର୍ଷ ପୂର୍ବେ ବୁଡୁଙ୍କ ଝିଅକୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଥିବାବେଳେ ସ୍ତ୍ରୀ ୫ ମାସର ଗର୍ଭବତୀ ଅଛନ୍ତି।