କେନ୍ଦୁଝର,୧୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ମଙ୍ଗଳପୁର ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ ନେଇ ଜ୍ବାଇଁ ଗତ କାଲି ରାତି ପ୍ରାୟ ୧୧ଟାରେ ଶ୍ବଶୁର ଘରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲେ ହେଁ ନିଆଁରେ ପଡ଼ି ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ପ୍ରକାଶ ଯେ, ବଂଶପାଳ ବ୍ଲକର ଅଙ୍କୁର ସନଗି ତିନି ବର୍ଷ ତଳେ ମଙ୍ଗଳପୁର ଗ୍ରାମର ଶିବ ନାଏକଙ୍କ ଝିଅଙ୍କୁ ବିବାହ କରିଥିଲେ ଏବଂ ସେ ସ୍ତ୍ରୀଙ୍କ ବାପ ଘରେ ରହି ଆସୁଥିଲେ। ଘରୋଇ ବିବାଦକୁ ନେଇ ଗତ କାଲି ଅଙ୍କୁର କ୍ରୋଧାନ୍ବିତ ହୋଇ ନିଆଁ ଲଗାଇ ପଳାଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରର ସବୁ ସାମଗ୍ରୀ ପୋଡ଼ି ଯାଇଥିଲେ ହେଁ କେହି ହତାହତ ହୋଇ ନାହାନ୍ତି। ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି।