ବାପାଙ୍କୁ ହାଣି ମାଟିରେ ପୋତିଦେଲେ ପୁଅ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ନିଜ ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲା
ବାରକୋଟ ଥାନା ଔତଳ ଗାଁରେ।

ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢାକୁ ବିକ୍ରି ପାଇଁ ଜିଦ୍‌ ଧରିଥିଲେ। ମାତ୍ର ବାପା ବଳଭଦ୍ର ବେହେରା (୬୨) ଏହାକୁ ବିରୋଧ କରିବାରୁ ପୁଅ ହୃଦାନନ୍ଦ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପୁଅ ନିଜ ବାପାର ମୃତଦେହକୁ ନିକଟସ୍ଥ ଜମି ହିଡ଼ରେ ଗାତ ଖୋଳି ପୋତି ଦେଇଥିଲେ। ଖବର ପାଇ ବରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ସହ ପୁଅଙ୍କୁ ଅଟକ ରଖିଛି। ଏଥି ସହିତ ପୋଲିସ ଟାଙ୍ଗିଆ, କୋଦାଳ ଆଦି ମଧ୍ୟ ଜବତ କରିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ପୁଅ ହୃଦାନନ୍ଦର ମାନସିକ ଅବସ୍ଥା କିଛିଦିନ ହେବ ଠିକ ନ ଥିବା ଗ୍ରାମବାସୀ କହିଛନ୍ତି। ଏପରିକି ସେ ପରିବାର ସଦସ୍ୟଙ୍କୁ ମାଡ଼ପିଟ କରୁଥିବା ଶୁଣିବାକୁ ମିଳୁଛି।

Dharitri – Odisha’s Leading and Most Trusted Odia Newspaper

Share