କଲେଜ ସାର୍‌ଙ୍କ ମୁଖା ଖୋଲିଲେ ସୋମ୍ୟାଶ୍ରୀଙ୍କ ବାପା, କହିଲେ ଏହି ସାର୍‌ ଦେଉଥିଲେ ଧମକ

ଭୁବନେଶ୍ୱର,୧୭।୭: ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୋଟିଏ ପଟେ ବିଜେଡି ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ବିରୋଧୀଙ୍କୁ ପ୍ରଶ୍ନବାଣରେ ଘାଇଲା ହେଲେଣି ସରକାର। ଏପଟେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଗୋଟିଏ ପରେ ଗୋଟିଏ ଗୁମର ସାମ୍ନାକୁ ଆସୁଛି। ଘଟଣା ପଛରେ ଆଉ କିଏ ଅଛି, ଆତ୍ମହତ୍ୟା ପାଇଁ ଛାତ୍ରୀଙ୍କୁ ଉସକାଉଥିଲେ କିଏ, ସେସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଏହି ସମୟରେ ମୃତକ ସୌମ୍ୟାଶ୍ରୀଙ୍କ ବାପା ବଡ଼ ବୟାନ ଦେଇଛନ୍ତି। ଘଟଣା ପାଇଁ ସେ ପ୍ରିନ୍ସପାଲଙ୍କୁ ଏକ ପ୍ରକାର ଦାୟୀ କରୁଛନ୍ତି। ମୃତକ ବାପା କହିଛନ୍ତି, ୩୦ ତାରିଖ ଘଟଣା ପରେ ମୁଁ ପ୍ରିନ୍ସପାଲଙ୍କୁ ଭେଟିଥିଲି। ପ୍ରିନ୍ସପାଲଙ୍କୁ କହିଥିଲି ମୁଁ ମୋ ଝିଅକୁ ଏଠି ପଢାଇବାକୁ ଚାହୁଁନି। ମୋ ଝିଅର ଟିସି ଦେଇଦିଅନ୍ତୁ। ମୁଁ ନେଇକି ପଳାଇବି। ପ୍ରିନ୍ସପାଲ କହିଲେ ମୋ ଉପରେ ଭରସା କରନ୍ତୁ। ଇନକ୍ୱାରୀ ରିପୋର୍ଟ ଆସୁ, ଜିଲା ପ୍ରଶାସନର ଅଧିକାରୀ ରହିବେ। ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷ ରହିବେ। ଏହା ସହିତ ଝିଅର ସାଙ୍ଗମାନଙ୍କ ପାଖରୁ ମୁଁ ଶୁଣିଥିଲି କି ମୋ ଝିଅକୁ ସେମାନେ ଡାକି କହିଥିଲେ ରିପୋର୍ଟ ତୁମ ବିରୋଧରେ ଯାଇଛି। ଅଭିଯୋଗକୁ ପ୍ରତ୍ୟାହାର କର। ସାର୍‌ଙ୍କୁ କ୍ଷମା ମାଗ, ମିଡିଆକୁ କ୍ଷମା ମାଗ। ନହେଲେ ଆମେ ତୁମକୁ ରଷ୍ଟିକେଟ୍‌ କରିଦେବୁ।

FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବୁଧବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜେଡି କର୍ମୀ ଆନ୍ଦୋଳନ କରୁଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସୌମ୍ୟାଶ୍ରୀଙ୍କ ରୁମମେଟ୍‌ ଚାଞ୍ଚଳ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ। ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ। ଘରେ ଜଣାଇବାକୁ ବାରମ୍ବାର କହି ଆସୁଥିଲି। ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ସେ ଏମିତି କେମିତି କରିପାରିବ?’ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ। ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍‌। କଲେଜରୁ ଆସିଲେ ଖାଇବା ଆଣିବ ବୋଲି କହିଥିଲା। ହେଲେ ଆତ୍ମହତ୍ୟା କରିପାରିବ କି। ଘଟଣାର ସଠିକ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି ସୌମ୍ୟାଶ୍ରୀ ରୁମମେଟ୍‌।

Share