ଦେଢ଼ ବର୍ଷ ହେଲା ଅଚଳ ହୋଇପଡ଼ିଛି ସୋଲାର ପାଣି ପମ୍ପ୍‌, ପାନୀୟ ଜଳ ପାଇଁ ପଡ଼ାବାସୀ ହନ୍ତସନ୍ତ

କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରେଙ୍ଗାଲି ଗ୍ରାମ ନୂଆପଡ଼ାଠାରେ ଗତ ୨୦୨୧-୨୨ରେ ସୋଲାର ଚାଳିତ ପାଣି ପମ୍ପ ନିର୍ମାଣ କରାଯାଇଥିଲା। ଦୀର୍ଘଦିନ ଚାଲିଲା ପରେ ଆଜକୁ ଏକ ବର୍ଷ ୬ ମାସ ହେଲା ଅଚଳ ହୋଇ ପଡ଼ିରହିଥିବାରୁ ପଡ଼ାବାସୀ ଟୋପାଏ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ନେଇ ପଡ଼ାବାସୀ ତତ୍କାଳୀନ ସରପଞ୍ଚ, ବିଡିଓଙ୍କୁ ବହୁବାର ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବାଲସି ପଞ୍ଚାୟତର ରେଙ୍ଗାଲି ଗ୍ରାମ ନୂଆପଡ଼ାରେ ପ୍ରାୟ ୩୦ଟି ପରିବାରରୁ ଊଦ୍ଧର୍‌ବ ଲୋକ ବସବାସ କରନ୍ତି। ପାନୀୟ ଜଳର ସୁବିଧା ପାଇଁ ପୂର୍ବ ରାଜ୍ୟ ସରକାର ପ୍ରାୟ ସାଢ଼େ ୩ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ଏକ ସୋଲାର ଚାଳିତ ପାଣିପମ୍ପ ଲଗାଇ ପ୍ଲାଷ୍ଟିକ ଟାଙ୍କିକୁ ପାଣି ଉଠାଇ ପଡ଼ାବାସୀଙ୍କୁ ଜଳ ଯୋଗାଣ କରୁଥିଲେ। କିନ୍ତୁ ଦେଢ଼ବର୍ଷ ହେଲାଣି ମୋଟର ଖରାପ ଥିବାରୁ ସୋଲାର ପାଣିପମ୍ପ ଅଚଳ ହୋଇ ପଡ଼ିଛି। ଏଥିପାଇଁ ବହୁ ବାର ବ୍ଲକ, ପଞ୍ଚାୟତ ଅଧିକାରୀଙ୍କୁ ପଡ଼ାବାସୀ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବାରୁ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଯାହା ଫଳରେ ପଡ଼ାବାସୀ ନଳକୂପର ଫ୍ଲୋରାଇଡଯୁକ୍ତ ପାଣି ପିଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି। ଏ ସଂକ୍ରାନ୍ତରେ ବାଲସି ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ରଣାଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ, ଯଦି ମୋଟର ଖରାପ ଅଛି,କି ନଳକୂପରୁ ପାଣି କମ୍‌ ଅଛି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଜେଇଙ୍କୁ ପଚାରି ଯଥାଶୀଘ୍ର ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ। ଏ ନେଇ ବାଲସି ସରପଞ୍ଚ କିଶୋର ସାହୁଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ବୋଲି କହିଥିଲେ।

Share