ମୁମ୍ବାଇ: ସମ୍ପ୍ରତି ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ ‘ଛାବା’ ବକ୍ସ ଅଫିସରେ ନିଜ ଜଲ୍ଓ୍ବା ଦେଖାଇଚାଲିଛି। ରିଲିଜ୍ ହେବାର ମାତ୍ର ୫ ଦିନ ମଧ୍ୟରେ ଏହି ଫିଲ୍ମ କେବଳ ଭାରତୀୟ ଫିଲ୍ମ ହଲଗୁଡ଼ିକରୁ ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି। ତେବେ ଏହି ଫିଲ୍ମକୁ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଦଳାଚକଟା ସହ ଯୋଡ଼ି ଅଭିନେତ୍ରୀ ସ୍ବରା ଭାସ୍କରା ଏକ୍ସ’ରେ ଏକ ସମାଲୋଚନା ମୂଳକ ପୋଷ୍ଟ କରିଛନ୍ତି। ‘ଛାବା’ ଫିଲ୍ମରେ ଲୋକଙ୍କ ପକ୍ଷରୁ ଆସୁଥିବା ଭାବନାତ୍ମକ ପ୍ରତିକ୍ରିୟାକୁ ନେଇ ସ୍ବରା ଲେଖିଛନ୍ତି, ୫୦୦ ବର୍ଷ ତଳେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଏକ କାଳ୍ପନିକ ଚଳଚ୍ଚିତ୍ରରେ ଦେଖାଯିବାକୁ ନେଇ ଲୋକେ କ୍ରୋଧିତ ହୋଇଯାଉଛନ୍ତି। ଅନ୍ୟପକ୍ଷରେ, ମହାକୁମ୍ଭର ଖରାପ ପରିଚାଳନା ଏବଂ ଦଳାଚକଟା ମୃତ୍ୟୁକୁ ନେଇ ସେମାନଙ୍କୁ କ୍ରୋଧ ଆସୁନାହିଁ। ମହାକୁମ୍ଭରେ ମୃତଦେହଗୁଡ଼କୁ ବୁଲ୍ଡୋଜର ସାହାଯ୍ୟରେ ବାହାର କରାଯାଇଥିଲା। କିନ୍ତୁ ଏହା ବିରୋଧରେ କେହି ମଧ୍ୟ ପ୍ରତିବାଦ କଲେ ନାହିଁ। ବାସ୍ତବରେ ଆମେ ରହୁଥିବା ସମାଜରେ ଲୋକଙ୍କର ବୁଦ୍ଧି ଏବଂ ଆତ୍ମା ମରିଯାଇଛି ବୋଲି ସ୍ବରା କହିଛନ୍ତି। ପ୍ରକାଶ ଯେ, ‘ଛାବା’ ଫିଲ୍ମ ଶମ୍ଭାଜୀ ମହାରାଜଙ୍କ ଜୀବନୀକୁ ନେଇ ଆଧାରିତ ରହିଛି। ଶମ୍ଭାଜୀ ମହାରାଜଙ୍କୁ ଅତ୍ୟାଚାର କରାଯାଉଥିବା ନେଇ ଫିଲ୍ମର ଅନ୍ତିମ ଦୃଶ୍ୟରେ ପ୍ରକାଶ ପାଇଛି। ଏହି ଦୃଶ୍ୟ ଦେଖି ଲୋକେ ଭାବ ବିହ୍ବଳ ହେବା ସହ କ୍ରୋଧିତ ହୋଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ।


