ବଣାଇଁ, ୮।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ଗତକାଲି ଠାରୁ ପ୍ରଥମଥର ପାଇଁ ସମଗ୍ର ଅଞ୍ଚଳ ୫ ଡିଗ୍ରୀ ତଳେ ରହିଛି । ସାରା ବଣାଇଁ ବର୍ତ୍ତମାନ ଜାଡରେ ଥରୁଥିବା ବେଳେ କୋଇଡାରେ ଆଜି ମଧ୍ୟ ଦିତୀୟ ଦିନ ତୁଷାରପାତ ଦେଖିବାକୁ ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଏହା ପ୍ରଥମ ତୁଷାରପାତ । ଗତ ୬ ତାରିଖ ରାତିରେ ବଣାଇଁ ଓ ଗୁରୁଣ୍ଡିଆ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ଓ କୋଇଡା ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀ ଥିବା ରେକର୍ଡ କରାଯାଇଥିଲା । ହେଲେ ଆଜି ଲାଗାତର ଭାବେ ପାରଦ ଖସିବା ପ୍ରକ୍ରିୟା ଜାରି ରହିଛି। ପରିଣାମ ସ୍ବରୂପ ଆଜି ମଧ୍ୟ କୋଇଡ଼ାର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖା ଯାଇଛି । ବଣାଇଁ ସମେତ ଗୁରୁଣ୍ଡିଆ, ଲହୁଣିପ ଓ କୋଇଡ଼ାରେ ଜାଡ ପ୍ରକୋପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜିର ସ୍ଥାନୀୟ ରେକର୍ଡ ଦେଖିଲେ ବଣାଇଁ ୫ ଡିଗ୍ରୀ, ଲହୁଣିପ ୫ ଡିଗୀ ତଳେ ରହିଛି ଓ କୋଇଡ଼ାରେ ପାରଦ ଚାରି ଡିଗ୍ରୀ ତଳେ ଥିବା ଆକଳନ କରାଯାଇଛି। ଅପରପକ୍ଷେ ସାରା ରାଜ୍ୟରେ ଶୀତର ପ୍ରକୋପ ଆଗକୁ ବୃଦ୍ଧି ପାଇବା ନେଇ ଥିବା ସୂଚନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଦୀର୍ଘଦିନ ଧରି ଥିବା କୁହୁଡ଼ି ପ୍ରକୋପ ସମ୍ପୂର୍ଣ୍ଣ ଲୋପ ପାଇ ଏବେ ପ୍ରବଳ ଥଣ୍ଡା ସାଧାରଣ ଜନତାଙ୍କୁ କଲବଲ କରୁଛି।


