ପଣ୍ୟାଗାର କେମିକାଲ ଗୋଦାମରୁ ଧୂଆଁ ନିର୍ଗତ: ସ୍ଥାନୀୟ ବାସିନ୍ଦାଙ୍କ ଆଖି, ନାକ ଜଳାପୋଡ଼ା

ମହାକାଳପଡ଼ା, ୭ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାରାଦୀପ-ଚଣ୍ଡିଖୋଲ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱ ମଶାକଣି ବଡ଼ଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ରହିଛି। ଏଠାରେ ଗଚ୍ଛିତ ଥିବା କେମିକାଲ ନିର୍ଗତ ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଶୁକ୍ରବାର ଭୟ ସୃଷ୍ଟି ହୋଇଛି। ଖବରପାଇ ମହାକାଳପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୋଦାମରୁ ନିର୍ଗତ ହେଉଥିବା କେମିକାଲ ଧୂଆଁକୁ ନିୟନ୍ତ୍ରଣ କରିଥିଲେ। ଏହି ଗୋଦାମ ଗୃହରେ କେମିକାଲ ପଦାର୍ଥ ଗଚ୍ଛିତ ରଖାଯାଇ ବିଭିନ୍ନ ଶିଳ୍ପ କାରଖାନାକୁ ପଠା ଯାଇଥାଏ। କେମିକାଲ ପଦାର୍ଥ ନିର୍ଗତ ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ଆଖି ନାକ ଜଳାପୋଡା ହେଉଥିବା କହିଛନ୍ତି କେଳୁ ଦାସ , ସ୍ବାଗତ ମହାପାତ୍ରଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଖବର ପାଇ ଜିଲାପାଳ ତଦନ୍ତ ରିପୋର୍ଟ ତଲବ କରିଛନ୍ତି। ଅପରପକ୍ଷରେ ଏହି କେମିକାଲ ନିର୍ଗତ ହେବା ନେଇ ପଣ୍ୟାଗାର ଫାଟକ ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଧାରଣାରେ ବସି ହୋହଲ୍ଲା କରିଥିଲେ। ଅପରପକ୍ଷରେ କୌଣସି ପ୍ରକାର ଭୟଭୀତ ହେବାର ନାହିଁ। କେମିକାଲ ବିଶେଷଜ୍ଞ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି ବୋଲି କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ପରିଚାଳକଙ୍କ ପକ୍ଷରୁ କୁହାଯାଇଛି। ପଣ୍ୟାଗାର ଗୋଦାମ ଗୃହକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share