ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ ୩୫ ବର୍ଷ ହେଲା ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ଅର୍ଥାତ୍ ସିଟି ବସଷ୍ଟାଣ୍ଡରେ ୭୨ ଜଣ କ୍ଷୁଦ୍ର ବ୍ୟବସାୟୀ ପିଣ୍ଡି କରି ବିଡ଼ିଏ ବ୍ରହ୍ମପୁରକୁ ଭଡ଼ା/ଲାଇସେନ୍ସ ଫିସ ପୈଠ କରି ଆସୁଥିଲେ l କିନ୍ତୁ ଜନସାଧାରଣ ହିତ ଦୃଷ୍ଟି କୋଣରୁ ଗତ ମାର୍ଚ୍ଚ ୬ରୁ ଜିଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ନୂତନ ବସଷ୍ଟାଣ୍ଡକୁ ବନ୍ଦ କରି ହଳଦିଆପଦରଠାରେ ବସଷ୍ଟାଣ୍ଡ ଏବଂ ଡୁଡୁମା କଲୋନୀଠାରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି l ଫଳରେ ନୂତନ ବସଷ୍ଟାଣ୍ଡ ଅବା ସିଟି ବସଷ୍ଟାଣ୍ଡକୁ ବସ ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି l ଏଠାରେ ଯେଉଁ ୭୨ ପରିବାର ଦୀର୍ଘ ୩୫ ହେଲା କ୍ଷୁଦ୍ର ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ଗୋଟେ ପ୍ରକାର ଜୀବିକା ହରାଇଛନ୍ତି। ଏନେଇ ନୂତନ ବସଷ୍ଟାଣ୍ଡ କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ, ବିଡ଼ିଏ ସେକ୍ରେଟାରୀ, ବିଏମସି କମିଶନର, ସ୍ଥାନୀୟ ବିଧାୟକଙ୍କୁ ଭେଟି ଅଭିଯୋଗ ଜଣାଇଲା ପରେ ସମସ୍ତେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ପେଟପାଟଣା କଥା ରହିଛି, ତେଣୁ ଆଜି ଛତ୍ରପୁର ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଦୁଃଖ ଜଣାଇଛନ୍ତି l ଦାବିପତ୍ର ପ୍ରଦାନ ବେଳେ ସଂଘର ସମ୍ପାଦକ ସରୋଜ କୁମାର ନାୟକ,ଉପସଭାପତି କାଳୁ ଚରଣ ପ୍ରଧାନ, ଯୁଗ୍ମ ସମ୍ପାଦକ ଜଗନ୍ନାଥ ପଣ୍ଡା, କୋଷାଧ୍ୟକ୍ଷ ସୂର୍ଯ୍ୟ ସାହୁ ଏବଂ ସମସ୍ତ ବ୍ୟବସାୟୀ ଉପସ୍ଥିତ ଥିଲେ l
Dharitri – Odisha’s No.1 Odia Daily

