କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ ସଙ୍କଟ ଯୋଗୁ କୋରାପୁଟ ଜିଲାର ଛୋଟ ହୋଟେଲ ଏବଂ ଫାଷ୍ଟ ଫୁଡ୍ ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ବୋରିଗୁମ୍ମା ସହରର ପ୍ରାୟ ୫୦ରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ, ଯେଉଁମାନେ ଜଳଖିଆ ଓ ଫାଷ୍ଟ ଫୁଡ୍ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି, ସେମାନଙ୍କ ବ୍ୟବସାୟ ଏବେ ଠପ୍ ହୋଇଯାଇଛି। ଗତ ଏକ ମାସ ହେବ ଗ୍ୟାସ ମିଳୁ ନ ଥିବାରୁ ଅନେକ ଦୋକାନ ବନ୍ଦ ରହିଛି। ଏହାଫଳରେ ବ୍ୟବସାୟୀଙ୍କ ଦୈନିକ ରୋଜଗାର ବନ୍ଦ ହୋଇଯାଇଛି। ପରିବାର ଚଳାଇବା ସହ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବା କଷ୍ଟସାଧ୍ୟ ହୋଇପଡ଼ିଛି।
ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ରଙ୍କ ନେତୃତ୍ୱରେ ବ୍ୟବସାୟୀମାନେ ଶନିବାର ଅପରାହ୍ନରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟିଛନ୍ତି। ଗ୍ୟାସ ସଙ୍କଟ ଯୋଗୁ ଆମର ଜୀବିକା ବିପନ୍ନ। ଯଦି ଶୀଘ୍ର ଯୋଗାଣ ସ୍ବାଭାବିକ ନ ହୁଏ, ତେବେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିବ ବୋଲି ସେମାନେ ପ୍ରକାଶ କରିଛନ୍ତି।
ବ୍ୟବସାୟୀମାନେ ସେମାନଙ୍କର ଦୁରାବସ୍ଥା ବିଷୟରେ ଜିଲାପାଳଙ୍କୁ ଅବଗତ କରାଇବା ସହ ଆସନ୍ତା ୩ ଦିନ ମଧ୍ୟରେ LPG ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। ଜିଲାପାଳ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବ୍ୟବସାୟୀମାନେ ଆଶା ପ୍ରକଟ କରିଛନ୍ତି।
Dharitri – Odisha’s No.1 Odia Daily