ମୁମ୍ବାଇ/ଠାଣେ,୫ା୭:ଶିବସେନା ୟୁବିଟିର ପୂର୍ବତନ ଏମ୍ପି ରାଜନ୍ ବିଚାରେଙ୍କ ଠାଣେ ଅଫିସ୍କୁ କେତେଜଣ ବ୍ୟବସାୟୀଙ୍କୁ ଡକାଯାଇଛି। ସେଠାରେ ବିଚାରେଙ୍କ ସମ୍ମୁଖରେ ତାଙ୍କ କର୍ମୀମାନେ ସେମାନଙ୍କୁ ଚାପୁଡ଼ା ମାରୁଛନ୍ତି। ଗ୍ରାହକଙ୍କ ସହ ମରାଠୀରେ କଥା ହେବା ପାଇଁ କର୍ମୀମାନେ ବ୍ୟବସାୟୀଙ୍କୁ ତାଗିଦ କରୁଛନ୍ତି। ଜଣେ କର୍ମୀ ସ୍ଲୋଗାନ ଦେଉଛନ୍ତି, ‘ମରାଠୀ ଭାଷାରେ କୁହ’। ଏପରି ନିର୍ଦ୍ଦେଶ ଦେବାବେଳେ ସେ ଜଣେ ବ୍ୟବସାୟୀଙ୍କୁ ଚାପୁଡ଼ା ମାରିବା ସହ କ୍ଷମାମାଗିବାକୁ କହୁଛନ୍ତି। ଚକିତ କରିଦେବା ଭଳି ଏକ ଭିଡିଓ ମହାରାଷ୍ଟ୍ରରେ ଭାଇରାଲ ହେବାରେ ଲାଗିଛି। ଏନେଇ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକ୍ରେ କହିଛନ୍ତି, ସେ ରାଜନ୍ ବିଚାରେଙ୍କ ସହ ଆଲୋଚନା କରିଛନ୍ତି। ଏହା ଏକ ମରାଠୀ-ଅଣମରାଠୀ ପ୍ରସଙ୍ଗ ନୁହେଁ। ବ୍ୟବସାୟୀ ଜଣକ ଜଣେ ଦଳୀୟ କର୍ମୀଙ୍କୁ ତାଙ୍କ ମୋବାଇଲ ଚାର୍ଜ କରିବାକୁ ଅନୁମତି ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତାକୁ ନେଇ ଏହି ବିବାଦ ହୋଇଥିବା ବିଚାରେ କହିଥିଲେ ବୋଲି ଆଦିତ୍ୟ ଏକ ବିବୃତି ଜାରି କରିଛନ୍ତି। ତେବେ ଆଦିତ୍ୟଙ୍କ ସଫେଇ ଉତ୍ତେଜନା ପ୍ରଶମିତ କରିପାରି ନାହିଁ। ମୁମ୍ବାଇର ଏକ ଇନ୍ଭେଷ୍ଟମେଣ୍ଟ ସର୍ଭିସ୍ ପ୍ରତିଷ୍ଠାତା ସୁଶୀଲ କେଡ଼ିଆ କହିଛନ୍ତି, ଏମ୍ଏନ୍ଏସ୍ ମୁଖ୍ୟ ରାଜ୍ ଠାକ୍ରେଙ୍କ ଦାଦାଗିରିର ପ୍ରତିବାଦରେ ସେ ମରାଠୀ ନ କହିବାକୁ ପ୍ରତିଜ୍ଞା କରିଛନ୍ତି। ରାଜ୍ କ’ଣ କରୁଛନ୍ତି କରନ୍ତୁ ବୋଲି ସୁଶୀଲ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଏହା ପରେ ଏମ୍ଏନ୍ଏସ୍ ପକ୍ଷରୁ ତାଙ୍କୁ ଧମକ ଦିଆଯିବାରୁ ସେ ଥାନାର ଦ୍ୱାରସ୍ଥ ହୋଇ ପୋଲିସ ସୁରକ୍ଷା ଲୋଡ଼ିଛନ୍ତି। ଏହା ପୂର୍ବରୁ ଗୁରୁବାର ମୁମ୍ବାଇ ମୀରା ରୋଡ୍ର ଦୋକାନୀ ବାବୁଲାଲ ଚୌଧରୀଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅନେକ ଶହ ଦୋକାନୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ। ଏମ୍ଏନ୍ଏସ୍ କର୍ମୀଙ୍କ ଗୁଣ୍ଡାଗିରିକୁ ସେମାନେ ବିରୋଧ କରିଥିଲେ। ତେବେ ଏମ୍ଏନ୍ଏସ୍ ଏନେଇ କ୍ଷମା ମାଗିବାକୁ ମନା କରିଦେଇଛି। ମନ୍ତ୍ରୀ ନୀତେଶ ରାଣେ କହିଛନ୍ତି, ମରାଠୀ କହୁ ନ ଥିବା ଗରିବ ହିନ୍ଦୁମାନଙ୍କ ଉପରେ ଏମ୍ଏନ୍ଏସ୍ ଆକ୍ରମଣ କରୁଛି। ସେମାନଙ୍କ ସାହସ ଥିଲେ ନୁଲ ବାଜାର ଓ ମହମ୍ମଦ ଅଲୀ ରୋଡ୍ ଭଳି ମୁସଲିମ ବହୁଳ ଅଞ୍ଚଳକୁ ଯାଇ ବଳ ଦେଖାନ୍ତୁ।
ମୁମ୍ବାଇ ୟୁନିଭର୍ସିଟି ପ୍ରଫେସର ଦୀପକ ପାଓ୍ବାର ରାଜ୍ୟର ସ୍କୁଲଗୁଡ଼ିକରେ ହିନ୍ଦୀକୁ ତୃତୀୟ ଭାଷାର ମାନ୍ୟତା ପ୍ରଦାନ ନେଇ ଫଡ୍ନବିସ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାରୁ ତାଙ୍କ ସହ ଅନ୍ୟ କେତେଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବିଏମ୍ସି ଅଫିସ ବାହାରେ ହୋଇଥିବା ଏହି ବିକ୍ଷୋଭରେ ଉଦ୍ଧବ ଠାକ୍ରେ ଓ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ସାମିଲ ଥିଲେ।


