ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ ହାଡ଼ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଏହାକୁ ଏକ ହତ୍ୟା ମାମଲା ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଗୁଣୁପୁର ଗ୍ରାମର କିଛି ଯୁବକ ଗୋବରୀ କେନାଲର କଳିଙ୍ଗା ଘାଟ ନିକଟକୁ ଯାଇଥିବା ବେଳେ ଏକ ବସ୍ତା ସଦୃଶ ବ୍ୟାଗ୍ ଭାସୁଥିବାର ଦେଖିଥିଲେ। ସନ୍ଦେହ ହେବାରୁ ସେମାନେ ବ୍ୟାଗ୍ଟିିକୁ କୂଳକୁ ଆଣି ଖୋଲିବା ପରେ ସେଥିରୁ ମଣିଷର ଖପୁରୀ ଓ ହାଡ଼ ବାହାରିଥିଲା। ଯୁବକମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ, ଯାହା ପରେ ସ୍ଥାନୀୟ ଲୋକେ ଗୁରୁବାର ଦିନ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି (IIC) ଶ୍ରୀକାନ୍ତ ବାରିକ ପୋଲିସ ବାହିନୀ ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଗୁଡ଼ିକୁ ଜବତ କରିଛନ୍ତି।ପୋଲିସ ଏହି ଘଟଣାରେ ମାମଲା ନମ୍ବର ୧୭୪/୨୦୨୬ ରୁଜୁ କରିଛି। ଜବତ ହୋଇଥିବା ଖପୁରୀ ଓ ହାଡ଼କୁ ଅଧିକ ପରୀକ୍ଷା ପାଇଁ କଟକ ସ୍ଥିତ ଫୋରେନସିକ ମେଡିସିନ ଏବଂ ଟକ୍ସିକୋଲୋଜି (FM&T)ବିଭାଗକୁ ପଠାଯାଇଛି। ଆମେ କଙ୍କାଳ ଜବତ କରି ତଦନ୍ତ ଚଳାଇଛୁ। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା କେତେ ପୁରୁଣା ତାହା ସ୍ପଷ୍ଟ ହେବ ବୋଲି ଆଇଆଇସି ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି।
ବ୍ୟାଗ ଭିତରେ କଙ୍କାଳ ମିଳିବା ଏବଂ ତାହା ନଦୀରେ ଭସାଇ ଦିଆଯାଇଥିବାରୁ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ପୋଲିସ ଆଖପାଖ ଅଞ୍ଚଳର ନିଖୋଜ ବ୍ୟକ୍ତିଙ୍କ ତାଲିକା ଯାଞ୍ଚ କରିବା ସହ ଘଟଣାର ରହସ୍ୟ ଖୋଜୁଛି।