ଭୁବନେଶ୍ୱର,୨୭ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୬ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀଙ୍କ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡ. ଉଷାରାଣୀ ସାହୁଙ୍କୁ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଲୋପାମୁଦ୍ରା ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ସଚିବ ନାରାୟଣ ଚନ୍ଦ୍ର ଧଳଙ୍କୁ ଓଡ଼ିଶା ଖଣି ନିଗମ(ଓଏମ୍ସି)ର ମୁଖ୍ୟ ଭିଜିଲାନ୍ସ ଅଧିକାରୀ(ସିଭିଓ) ଭାବେ ବଦଳି କରାଯାଇଥିବାବେଳେ ଓଏମ୍ସିର ସିଭିଓ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଅତିରିକ୍ତ ସଚିବ ଧଳଙ୍କ ସ୍ଥାନକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁକାନ୍ତ ମାଝୀଙ୍କୁ କେନ୍ଦୁଝର ‘ଡୁଡା’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଯୁଗ୍ମ ସଚିବ ପ୍ରିୟବ୍ରତ ପାଢ଼ୀଙ୍କୁ କେନ୍ଦୁଝର ଭୂ-ଅଧିଗ୍ରହଣ କକ୍ଷର ସ୍ବତନ୍ତ୍ର ଭୂ-ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।