ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତକ ଜଣଙ୍କ ହେଲେ ପୁଆଁଣିଆ ଗ୍ରାମର ଆଲୋକ ମହାପାତ୍ର। ସୂଚନା ଅନୁଯାୟୀ, ଆଲୋକ ଓ ଅଭିଯୁକ୍ତ ମହିଳାଙ୍କର ପ୍ରାୟ ଛଅ ମାସ ପୂର୍ବରୁ ଜଟଣୀ ଥାନା ଅଞ୍ଚଳରେ ବିବାହ ହୋଇଥିଲା।

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କାରଣକୁ ନେଇ ବାରମ୍ବାର କଳହ ଲାଗି ରହୁଥିଲା। ଗତ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା। ଏହି ଝଗଡ଼ା ଯୋଗୁଁ ଅଭିଯୁକ୍ତ ମହିଳା ଜଣକ ଶନିବାର ବିଳମ୍ବିତ ରାତିରେ ଆଲୋକ ଶୋଇଥିବା ସମୟରେ ତାଙ୍କୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସ୍ୱାମୀଙ୍କୁ ଅଚେତ ଅବସ୍ଥାରେ ଦେଖି ପରିବାର ଲୋକ ଏବଂ ପଡ଼ୋଶୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଖବର ପାଇ ଖଣ୍ଡପଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ପରିସ୍ଥିତି ନିରୂପଣ ପାଇଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ଜାରି ରହିଛି। ତଦନ୍ତ ଜାରି ରହିଥିବାରୁ ଏ ନେଇ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି ହୋଇନାହିଁ।