ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି । ମୃତ୍ୟବରଣ କରିଥିବା ଯୁବତୀ ଜଣଙ୍କ ହେଲେ ମିଲି ଗୌଡ଼ । ସୂଚନାରୁ ଜଣାପଡିଛି , ରାୟଗଡାର ଜୈନିକ ୱେବ ଖବରଦାତା ଗୋପୀନାଥ ଗୌଡ଼ଙ୍କ ବାହାଘର ଝାରସୁଗୁଡା ଜିଲା କୁଚିଣ୍ଡା ଠାରେ ଦିନବେଳା ଅନୁଷ୍ଠିତ ହୋଇଥିଲା । ମୃତକ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ସନ୍ଧ୍ୟା ବେଳେ ଫେରୁଥିବା ସମୟରେ କତରଭାଗା ଥାନା ଅନ୍ତର୍ଗତ ଗୁମଲେଇ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗଛକୁ ପିଟି ହୋଇଯାଇଥିଲା । ଖବରପାଇ ଦୁର୍ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୁର୍ଘଟଣାରେ ଚାରି ଆହତଙ୍କୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି I ଅପରପକ୍ଷେ ମୃତଦେହକୁ ଗ୍ୟାସ କଟର ସହାୟତାରେ କାଟି ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଦୁର୍ଘଟଣା ସମ୍ପର୍କରେ ଖବର ପହଞ୍ଚିବା ପରେ ରାୟଗଡାରେ ଶୋକର ଛାୟା ଖେଳିଯାଇଛି। ଗୋପୀଙ୍କ ଭଉଣୀଙ୍କ ମୃତ୍ୟୁ ଖବର ପରେ ପ୍ରେସ ଆଣ୍ଡ ମିଡ଼ିଆ ୱେଲଫେୟାର ଆସୋସିଏଶନ ସଦସ୍ୟମାନେ ଗୋପୀ ଓ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha