ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି ସାହୁ ରହିଛନ୍ତି। ସ୍ବାମୀ ପରିତ୍ୟକ୍ତା ସୁମନ୍ତିଙ୍କ ପୁଅ ଅଭିଜିତ (୧୫) ଏବଂ ଝିଅ ସୁରଭି(୧୪) କାନ୍ଦି କାନ୍ଦି ଏବେ ଆମେ ଅନାଥ ହୋଇଗଲୁ ବୋଲି କହିଛନ୍ତି।
ସୁମନ୍ତିଙ୍କ ମା’ ସତ୍ୟ ସାହୁ କହିଛନ୍ତି, ପିଲାଙ୍କୁ ଛାଡି ଝିଅ ବୁଲିବାକୁ ଯାଇଥିଲା। ୪ ଦିନରେ ଫେରିବି ବୋଲି କହିଥିଲା। ହେଲେ ସେ ସବୁଦିନ ପାଇଁ ଛାଡ଼ି ଚାଲିଗଲା। ସୁପୁଲୁ ଓ ମିକ୍ସଚର କରି ଝିଅ ତାର ପରିବାର ପୋଷୁଥିଲା। ଏବେ ପିଲା ୨ଟି ମୋ ପାଖରେ ଅଛନ୍ତି। କେମିତି ନାତିନାତୁଣୀଙ୍କୁ ପୋଷିବେ ତାକୁ ନେଇ ସତ୍ୟ ଚିନ୍ତା ପ୍ରକଟ କରିଛନ୍ତି।
ଏଭଳି ଦୁଃଖଦ ସମୟରେ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନଧି ଅଶୋକ ଶୁକ୍ଲ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ କହିଛନ୍ତି ଯେ, ଦୁର୍ଘଟଣା ହୃଦୟ ବିଦାରକ ଥିଲା। ନୟାଗଡ଼ରୁ ମୃତଦେହ କିଭଳି ଆସିବ ତାକୁ ନେଇ ବିଧାୟକ କେ. ଅନିଲ କୁମାର ଯୋଜନା କରୁଛନ୍ତି। ସୁମନ୍ତିଙ୍କ ଘର ଦ୍ୱାର ନ ଥିବାବେଳେ ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ସବୁକିଛି ସହାୟତା ଯୋଗାଇ ଦେବା ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।

