ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର ଝାରସୁଗୁଡା ଗସ୍ତରେ ଆସିଛନ୍ତି । ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ଝାରସୁଗୁଡାର ପ୍ରସିଦ୍ଧ ଶୈବ ପୀଠ ଝାଡ଼େଶ୍ୱର ବାବାଙ୍କ ଦର୍ଶନ କରିଛନ୍ତି ।
ସୂଚନା ଅନୁସାରେ, ସୋନୁ ନିଗମ ସୁନ୍ଦରଗଡ଼କୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଙ୍ଗଳବାର ଆସିଥିଲେ । କାର୍ଯ୍ୟକ୍ରମ ସାରି ବୁଧବାର ସକାଳୁ ମୁମ୍ବାଇ ଫେରିବା ପାଇଁ ସେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆସିଥିଲେ । ହେଲେ କୌଣସି କାରଣରୁ ବିମାନ ଡେରି ଥିବାରୁ ସେ ଝାଡ଼େଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ଝାଡ଼େଶ୍ୱର ମନ୍ଦିରରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମନ୍ଦିର କମିଟି ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ବସିଥିଲା । ସୋନୁ ନିଗମଙ୍କୁ ମନ୍ଦିର ପରିସରରେ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲେ ।
ସୋନୁ ନିଗମ ଝାଡ଼େଶ୍ୱର ବାବାଙ୍କ ଠାରେ ଜଳ ଅର୍ପଣ କରି କିଛି ସମୟ ପୂଜା କରି ମନ୍ଦିରର ଭିଜିଟର ଵୁକରେ ଦସ୍ତଖତ କରିଥିଲେ । ମନ୍ଦିର କମିଟିର ଅନୁରୋଧ ରକ୍ଷା କରି କିଛି ପାଣି ପିଇ ସେ ବିମାନ ସମୟ ହୋଇଯାଇଥିବାରୁ ବିମାନ ବନ୍ଦରକୁ ଫେରି ଯାଇଥିଲେ । ସୋନୁ ନିଗମଙ୍କ ସହିତ ଦୁଇ ଜଣ ମହିଳା କଳାକାର ଏବଂ ଜଣେ ବ୍ୟକ୍ତିଗତ ସଚିବ ରହିଥିଲେ । ଝାଡ଼େଶ୍ୱର ମନ୍ଦିର କମିଟି ସୋନୁ ନିଗମଙ୍କ ଭକ୍ତି, ଆଚରଣ ପ୍ରଭାବିତ କରିଥିବା ପ୍ରକାଶ କରିଛନ୍ତି । ଏହି ସମୟରେ କମିଟିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।