ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୀତର ଲିଙ୍କ୍ ଶେୟାର କରି ହିନ୍ଦୀରେ ଲେଖିଛନ୍ତି ଯେ, ମାତାଙ୍କ ପ୍ରତି ଭକ୍ତିରେ ଅନନ୍ୟ ଶକ୍ତି ରହିଛି। ମାଆଙ୍କ ପୂଜା ଓ ଆରାଧନା କରିବା ଦ୍ୱାରା ଭକ୍ତଙ୍କ ମନ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ ବୋଲି ସେ ଲେଖିଛନ୍ତି। ଏନେଇ କଣ୍ଠଶିଳ୍ପୀ ଦିପ୍ତି କହିଛନ୍ତି, ଏହି ଭିଡିଓଟି ୪ବର୍ଷ ତଳର। ବର୍ତ୍ତମାନ ଚୈତ୍ର ନବରାତ୍ରି ଚାଲିଥିବାରୁ ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଫେସ୍ବୁକ୍, X, ହ୍ବାଟ୍ସଆପ୍ ଗ୍ରୁପ୍ରେ ଏହାକୁ ପୋଷ୍ଟ କରିଛନ୍ତି। ଏନେଇ ବହୁତ୍ ଖୁସି ଲାଗୁଛି। ମୁଁ କେବେ ଭାବି ନ ଥିଲି କି ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ମୋ ଗୀତକୁ ପୋଷ୍ଟ କରିବେ। ଏହି ଗୀତକୁ ଶରତ ଚନ୍ଦ୍ର ମହାପାତ୍ର ଲେଖିଛନ୍ତି ଓ ମୋ ଗୁରୁ ପ୍ରଦୀପ କୁମାର ଦାସ କମ୍ପୋଜ୍ କରିଥିଲେ। କଟକସ୍ଥିତ ମା’ ଧାକୁଲେଇ ପୀଠରେ ଗୀତଟିକୁ ସମ୍ପୂର୍ଣ୍ଣ ଟିମ୍ ଶୁଟିଂ କରିଥିଲେ। ତେଣୁ ସମସ୍ତଙ୍କୁ ହୃଦୟର ସହ ଧନ୍ୟବାଦ ଦେଉଛି।