
ସିଙ୍ଗାପୁର, ୧୮।୨: ସିଙ୍ଗାପୁରର ବିରୋଧୀ ଦଳ ଓ୍ବାର୍କର୍ସ ପାର୍ଟିର ଭାରତୀୟ ବଂଶୋଦ୍ଭବ ନେତା ପ୍ରୀତମ ସିଂ ଦେଶର ସଂସଦୀୟ କମିଟି ସମ୍ମୁଖରେ ମିଥ୍ୟା ସାକ୍ଷ୍ୟ ଦେଇଥିବା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ସିଙ୍ଗାପୁରର ଏକ ଷ୍ଟେଟ୍ କୋର୍ଟରେ ଡେପୁଟି ପ୍ରିନ୍ସିପାଲ ଡିଷ୍ଟିର୍ଟ ଜର୍ଜ ଲ୍ୟୁକ୍ ଟାନ୍ ପ୍ରୀତମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ କହିଛନ୍ତି, ୨୦୨୧ରେ ପ୍ରୀତମଙ୍କ ବନ୍ଧୁ ତଥା ଓ୍ବାର୍କର୍ସ ପାର୍ଟିର ଏମ୍ପି ରଇସା ଖାନ୍ ସରକାରଙ୍କୁ ବଦନାମ କରିବା ପାଇଁ ଯୌନ ନିର୍ଯାତନାର ଶିକାର ହୋଇଥିବା କେତେଜଣ ପୀଡ଼ିତାଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବାନେଇ ସଂସଦରେ କହିଥିଲେ। ୨୦୨୧ ଡିସେମ୍ବର ୧୦ ଏବଂ ୧୫ରେ ସଂସଦର ପ୍ରିଭିଲେଜ୍ କମିଟି ପକ୍ଷରୁ ଏହି ମାମଲାର ଯାଞ୍ଚ ବେଳେ ପ୍ରୀତମ ଜାଣିଶୁଣି ୨ଟି ପ୍ରଶ୍ନର ମିଥ୍ୟା ଉତ୍ତର ଦେଇ ରଇସାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବାରୁ ପ୍ରୀତମଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୭ ହଜାର ସିଙ୍ଗାପୁର ଡଲାର ପର୍ଯ୍ୟନ୍ତ ଜରିମାନା ହୋଇପାରେ।