୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡୁଛି। ଏଥିସହ ଅସହ୍ୟ ଶୀତରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସନ୍ଧ୍ୟା ପୂର୍ବରୁ ସହର ଜନଶୂନ୍ୟ ହୋଇଯାଉଛି।

ଜିଲାରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ଦିନକୁ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସମଗ୍ର ଜିଲାରେ ଶୀତର ପ୍ରଭାବ ପାଇଁ ଲୋକେ ଦିନତମାମ ଶୀତବସ୍ତ୍ର ପରିଧାନ କରୁଛନ୍ତି। ଜିଲାର ୨୬ଟି ବ୍ଲକ୍‌ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ସକାଳ ୬ଟାରେ ଶିମିଳିପାଳ ଅଭୟାରଣ୍ୟ ଉତ୍ତର ଡିଭିଜନର ଉପରବାର୍‌ହାକାମୁଡ଼ା ରେଞ୍ଜ୍‌ରେ ସର୍ବନିମ୍ନ ୨ଡିଗ୍ରୀ, ଚହଲାରେ ୪, ବରେହିପାଣିରେ ୭, ଗୁଡୁଗୁଡ଼ିଆରେ ୬, ରାମତୀର୍ଥରେ ୧୨, କିଆଝରୀ ଓ ସାତକୋଶିଆରେ ୧୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ବାରିପଦା ସହରରେ ତାପମାତ୍ର ଦିନକୁ ଦିନ ଖସିବାରେ ଲାଗିଛି। ରାତି ଓ ଭୋର୍‌ରେ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଏପରିକି ଜିଲାରେ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀ କଷ୍ଟ ଭୋଗୁଛନ୍ତି। ସନ୍ଧ୍ୟାହେଲେ ଗାଁଗଣ୍ଡାଗୁଡ଼ିକ ଶୂନ୍‌ଶାନ ହୋଇଯାଉଛି। ନିଆଁ ଜାଳି ଲୋକେ ଶୀତକଷ୍ଟକୁ ଦୂର କରିବାରେ ଲାଗିଛନ୍ତି।