ଭୁବନେଶ୍ୱର,୩୦।୫: ସିକ୍କିମରେ ଏକ ବଡ଼ ଅଘଟଣ ଘଟିଛି। ବୁଲିବା ପାଇଁ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ ଏକ କାର୍ ତିସ୍ତା ନଦୀକୁ ଖସି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୯ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଯାଜପୁରର ଭାଜପା ନେତ୍ରୀ ଇତିଶ୍ରୀ ଜେନା ମଧ୍ୟ ରହିଥିବା ସୂଚନା ମିଳିଛି। ହେଲେ ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଏବଂ ପୁତୁରା ସୁରକ୍ଷିତ ଉଦ୍ଧାର ହୋଇଥିବା କୋରେଇ ବିଧାୟକ ଆକାଶ ଦାସ ନାୟକ ଗଣମାଧ୍ୟମକୁ ଶୁକ୍ରବାର ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ, ଇତିଶ୍ରୀ ପରିବାରର ୧୧ ଜଣଙ୍କ ସହ ବୁଲିବାକୁ ଯାଇଥିଲେ। ୨ଟି ଗାଡ଼ିରେ ଯାଇଥିବା ବେଳେ ଗୋଟିଏ ଗାଡ଼ି ଖାଇରେ ଖସି ପଡ଼ିଥିଲା। ଅନ୍ୟପକ୍ଷେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।
ଦୁର୍ଘଟଣାର ଶିକାର ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ ଆଲୋଚନା କରିବା ସହ ଏକ ସ୍ବତନ୍ତ୍ର ଟିମ୍ ସିକିମ ଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।