ବ୍ରହ୍ମପୁର,୨୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ ଵ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪ ଜଣ(ଅଶାୟୀ) ପରୀକ୍ଷାର୍ଥୀ ୭ଜଣ ଦଲାଲ ଏପରି ମୋଟ ୧୨୧ ଜଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଜ୍ଞାନେନ୍ଦ୍ର କୁମାର ବାରିକ ଏହାର ଶୁଣାଣି କରି ୧୧୭ ଜଣ ଅଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପଟେ ୭ ଜଣ ଦଲାଲଙ୍କ ଜାମିନ ଖାରଜ କରିଦେଇଛନ୍ତି। ଏନେଇ ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି। ଆଜି ଅଶାୟୀମାନେ ଜାମିନରେ ଵ୍ରହ୍ମପୁର ଜେଲରୁ ବାହାରିବେ। ସେହିପରି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଏବେ ଜେଲ ବାହାରେ ଦେଖିବାକୁ ମିଳିଛି।
ଗୁପ୍ତ ସୂଚନା ଆଧାରରେ ଗତ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏ.ସି. ସ୍ଲିପର୍ ବସ୍କୁ ଅଟକ କରିଥିଲା। ବ୍ରହ୍ମପୁର ଏସପି ଡ଼ା . ସର୍ଵଣା ବିବେକ ଏମଙ୍କ ନେତୃତ୍ୱରେ ତିନିଟି ଟିମ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ପହଞ୍ଚି ତିନୋଟି ବସ ସହ ୧୧୭ ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ। ଯାଞ୍ଚରେ ମିଳିଲା ଯେ, ସେଥିରେ ମୋଟ ୧୧୭ ଯାତ୍ରୀ ଥିଲେ, ଯେଉଁଥିରୁ ୧୧୪ ଜଣ ଓପିଆରବି ସବ୍-ଇନ୍ସପେକ୍ଟର୍ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶ୍ନପତ୍ର ପାଇଁ ସେମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଯାଉଥିଲେ। ସେମାନେ ଭୁବନେଶ୍ୱରରୁ ବସ୍ରେ ଚଢ଼ି ବିଜୟନଗରମକୁ ଯାଉଥିଲେ। ସେଠାରେ ଗୁପ୍ତଭାବରେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱରକୁ ଫେରି ପରୀକ୍ଷାରେ ବସିବା ସେମାନଙ୍କ ଯୋଜନା ଥିଲା। ପ୍ରତିଜଣ ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲେ। ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଅନ୍ୟ ୧୫ ଲକ୍ଷ ଦେବା ପାଇଁ। ତାହା ପୂର୍ବରୁ ପୋଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାଶ କରିଥିଲା। ପରେ ଉକ୍ତ ମାମଲାକୁ ହସ୍ତାନ୍ତର କରାଯାଇଥିଲା।