SI ନିଯୁକ୍ତି ପରୀକ୍ଷା: ସନ୍ଦେହରେ ପୋଲିସର ଭୂମିକା, ବରିଷ୍ଠ ପୋଲିସ ଅଧିକାରୀ କରୁଥିଲେ ଜାଲିଆତି

ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା ଘୋଟାଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରାଙ୍କୁ ଗିରଫ କରାଯାଇଛି। ଏହାସହ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ ଘରୋଇ ସଂସ୍ଥା ସିଲିକନ୍‌ ଟେକ୍‌ ଲ୍ୟାବ୍‌ ଓ ପଞ୍ଚସଫ୍ଟ୍‌ର କାର୍ଯ୍ୟାଳୟକୁ ବରିଷ୍ଠ ପୋଲିସ ଅଧିକାରୀମାନେ ବାରମ୍ବାର ଯାଉଥିବା ତଥ୍ୟ ସାମ୍ନାକୁ ଆସିଛି।

ଗୋଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ, ବିଭିନ୍ନ ସମୟରେ ବରିଷ୍ଠ ଅଧିକାରୀମାନେ ଇନ୍‌ଫୋସିଟି ଥାନା ଅଧୀନ ଡିଏଲ୍‌ଏଫ୍‌ ସାଇବର ସିଟିରେ ଥିବା ଏହି ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟକୁ ଯାଇ ମାଲିକଙ୍କ ସହ ଘଣ୍ଟା ଘଣ୍ଟା ଆଲୋଚନା କରୁଥିଲେ। ଏହି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ଅନ୍ୟ ବଡ଼ ରାଜନେତାଙ୍କ ସହ ମଧ୍ୟ ତାଙ୍କର ଫଟୋ ସାମ୍ନାକୁ ଆସିଛି।

ପୂର୍ବତନ ଡିଆଇଜି କୁଳମଣି ବେହେରା ୧୯୯୩ରେ ଆସିଷ୍ଟାଣ୍ଟ ଜେଲର ଭାବେ ଚାକିରି ଆରମ୍ଭ କରି ୨୦୨୧ରେ ଡିଆଇଜି ଭାବେ ପଦୋନ୍ନତି ପାଇଥିଲେ। ୨୦୨୫ ମାର୍ଚ୍ଚରେ ଅବସର ନେଇଥିବା କୁଳମଣିଙ୍କ ୩୧ ବର୍ଷର ଚାକିରି କାଳରେ ଅମାପ କଳାଧନ ଆୟ କରିଥିବା ଅଭିଯୋଗ ହୋଇଛି। ତାଙ୍କ ପୁଅ ଅମୀୟଙ୍କୁ ଏସ୍‌ଆଇ ପଦ ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏବେ ଭିଜିଲାନ୍ସ ଦ୍ୱାରା କୁଳମଣିଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଦାବି ଉଠିଛି।

ଏହି ଘୋଟାଲାରେ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅନେକ ସରକାରୀ ଚାକିରିଆଙ୍କ ପୁଅଝିଅ କିମ୍ବା ସମ୍ପର୍କୀୟ ଥିବା ସୂଚନା ମିଳିଛି। ଗୁଇନ୍ଦା ବିଭାଗ ଏକ ରିପୋର୍ଟରେ ଏକାଧିକ ଅଧିକାରୀଙ୍କ ନାମ ସହ ତାଲିକା ପ୍ରସ୍ତୁତ କରି ପୋଲିସ ଡିଜିଙ୍କୁ ପ୍ରଦାନ କରିଛି।

ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ତାଙ୍କୁ ଗିରଫ ପାଇଁ କ୍ରାଇମ୍‌ ବ୍ରାଞ୍ଚ୍‌ର ତିନିଟି ଟିମ୍‌ ରାଜ୍ୟ ବାହାରେ ଚଢ଼ାଉ ଜାରି ରଖିଛନ୍ତି। ଶଙ୍କର ତାଙ୍କ ପତ୍ନୀଙ୍କ ନାମରେ କେଦାରନାଥ ଟେକ୍ନୋଲୋଜି ନାମକ ଏକ କୋଚିଂ ସେଣ୍ଟର ଖୋଲିଥିବା ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଏହା ଚଳାଇଥିବା ଜଣାପଡ଼ିଛି। କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ମହାଦୁର୍ନୀତିର ପୂର୍ଣ୍ଣ ତଦନ୍ତ ପାଇଁ ଖୋଳତାଡ଼ ଜାରି ରଖିଛି।

 

Dharitri – Odisha’s No.1 Trusted Odia Daily

Share