SI ପରୀକ୍ଷା ମହାଘୋଟାଲା: ମୋଷ୍ଟ ୱାଣ୍ଟେଡ୍‌ ଶଙ୍କର ପୃଷ୍ଟି ଲିଙ୍କ୍‌ରେ କ୍ରାଇମବ୍ରାଞ୍ଚ ରେଡ୍‌

ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବରର ରଘୁନାଥପୁର ଅଞ୍ଚଳରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ କ୍ରାଇମବ୍ରାଞ୍ଚ ଟିମ୍‌ ରେଡ୍‌ କରିଛି। ଏହି ଅଭିଯାନ ମୋଷ୍ଟ ୱାଣ୍ଟେଡ୍‌ ଶଙ୍କର ପୃଷ୍ଟିଙ୍କ ସମ୍ପୃକ୍ତିକୁ ନେଇ ଚାଲିଛି, ଯିଏ ଏହି ଘୋଟାଲାରେ ଫିକ୍ସିଂରେ ଜଡ଼ିତ ଥିବା ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ରବୀନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏହି ରେଡ୍‌ ଜାରି ରହିଛି। ସେ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ଚାଲିଥିବା ଘରର ମାଲିକଙ୍କ ପରିଚୟ ଓ ସମ୍ପୃକ୍ତି ସମ୍ପର୍କରେ ଅନୁସନ୍ଧାନ ଚାଲିଛି।

ଏହି ମାମଲାରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପରୀକ୍ଷା ପରିଚାଳନାର ଦାୟିତ୍ୱ ଘରୋଇ ସଂସ୍ଥା ଆଇଟିଆଇକୁ ଦେଇଥିଲା, ଯିଏ ପୁଣି ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ସବ୍‌ କଣ୍ଟ୍ରାକ୍ଟ ଦେଇଥିଲା। ଏହି ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନାର ଦାୟିତ୍ୱ ଦେବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ଏବଂ ଓପିଆର୍‌ବିର କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ତାହା ଏବେ ଅନୁସନ୍ଧାନର ବିଷୟ ହୋଇଛି। ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଶନିବାର ଏକ ଜରୁରୀ ବୈଠକ ଆହ୍ୱାନ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘୋଟାଲାରେ ମଧ୍ୟସ୍ଥତା କରୁଥିବା ଅଭିଯୁକ୍ତ ବିଶ୍ୱରଞ୍ଜନ ବେହେରା (୨୯)ଙ୍କୁ କଟକ ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁରରୁ ଗିରଫ କରାଯାଇଛି। ତାଙ୍କୁ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ରୁରାଲ୍‌) କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ବିଶ୍ୱରଞ୍ଜନ ଆଶାୟୀ ପ୍ରାର୍ଥୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କଠାରୁ ଓରିଜିନାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଓ ବ୍ଲାଙ୍କ୍‌ ଚେକ୍‌ ସଂଗ୍ରହ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ଗିରଫଦାରି ସଂଖ୍ୟା ଏବେ ୧୧୮ରେ ପହଞ୍ଚିଛି।

ଏହି ଘୋଟାଲାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହା ଏକ ଗମ୍ଭୀର ଘଟଣା ବୋଲି କହି ସେମାନେ ତଦନ୍ତରେ ଅଧିକ ସ୍ୱଚ୍ଛତା ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କେତେକ ବଡ଼ ଖୁଲାସା ହୋଇପାରେ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି।

Share