ଭୁବନେଶ୍ୱର,୧।୧୦: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡ଼ିଥିଲେ। ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଧରିଥିଲା ବ୍ରହ୍ମପୁର ପୋଲିସ।
ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ (ଓପିଆର୍ବି) ଦ୍ୱାରା ପରିଚାଳିତ ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାରେ ଜାଲିଆତି ଉଦ୍ୟମ ହୋଇଥିବା ଅଭିଯୋଗ ହେବା ପରେ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ଆସନ୍ତା ଅକ୍ଟୋବର ୫ ଓ ୬ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ହେଲେ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ଆନ୍ଧ୍ରପ୍ରଦେଶର ଏକ ଘରୋଇ ସଂସ୍ଥା ୧୨୦ଜଣ ପରୀକ୍ଷା ଆଶାୟୀଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିବା ଖବର ମିଳିବା ପରେ ଆନ୍ଧ୍ରର ଶ୍ରୀକାକୁଲମ୍ଠାରେ ପୋଲିସ ଆଶାୟୀମାନଙ୍କୁ ଧରିଥିଲା। ସେମାନଙ୍କୁ ବ୍ରହ୍ମପୁର ଆଣି ତଦନ୍ତ କରିବା ପରେ ଜାଲିଆତି ଉଦ୍ୟମ ସଂକ୍ରାନ୍ତରେ ଜଣାପଡ଼ିଥିଲା। ତେବେ ପୋଲିସ ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳି ନ ଥିବା ବେଳେ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁର ପୋଲିସ ସହାୟତାରେ ତଦନ୍ତ କରୁଥିବା ଜଣାପଡ଼ିଛି।