ଶଟ୍‌ଡାଉନ୍‌ ପ୍ରଭାବରେ ରାସ୍ତାଘାଟ ଶୂନଶାନ: ସ୍ବାବ ନମୁନା ନେଗେଟିଭ୍‌ ଆସିବା ପରେ ଲୋକେ ଆଶ୍ୱସ୍ତ

ସଜନାଗଡ଼, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସଜନାଗଡ଼ ଏବଂ ଜଡ଼ିଦା ପଞ୍ଚାୟତରେ ଗୁରୁବାର ଉଭୟ ପଞ୍ଚାୟତର ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାସ୍ତାଘାଟ ଶୂନଶାନ୍‌ ହୋଇପଡିଛି। ନୀଳଗିରିରେ ରାଜ୍ୟର ପ୍ରଥମଥର ପାଇଁ ସ୍ଥାନୀୟ ବିଧାୟକ ଏବଂ ୪ଦିନ ଭିତରେ ସଜନାଗଡ଼ ଓ ଜଡ଼ିଦା ଆଦି ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଛାୟା ଖେଳିଯାଇଛି। ନୀଳଗିରିରେ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଲୋକ ଓ ପ୍ରବାସୀଙ୍କ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗଙ୍କ ସ୍ବାବ ନମୁନା ଗତ ୭ ତାରିଖରେ ସଂଗ୍ରହ କରାଯାଇଥିଲା। ଗୁରୁବାର ଏସବୁ ସ୍ବାବ ନମୁନା ନେଗେଟିଭ୍‌ ଆସିବା ପରେ ନୀଳଗିରିରେ ଆତଙ୍କର ଛାୟା ଜନତାଙ୍କ ଉପରୁ ହଟିଯାଇଛି। ଗୋଟିଏପଟେ ଜୀବନ ଓ ଅନ୍ୟପଟେ ଜୀବିକାକୁ ନେଇ ନୀଳଗିରିର ଜନସାଧାରଣ ଓ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଅନିଶ୍ଚିତତାକୁ ନେଇ ଗୋଷ୍ଠୀ ସଂକ୍ରମଣର ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା, ସେଥିରେ ରୋକ ଲାଗିଛି। ଅନ୍ୟପକ୍ଷରେ ନୀଳଗିରି ପୋଲିସ ଏହି ଦୁଇଟି ପଞ୍ଚାୟତରେ ପାଟ୍ରୋଲିଂ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରଶାସନର ନିଷ୍ପତ୍ତିକୁ ମାନି କେହି ବାହାରକୁ ଆସୁ ନ ଥିବାର ଦେଖିବାକୁ ମିଳିଛି।